ସୁନ୍ଦରଗଡ଼ ଡିଏମ୍‌ଏଫ୍‌ ପରିଚାଳନା ପରିଷଦର ବାର୍ଷିକ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପରିଚାଳନା ପରିଷଦର ଅଷ୍ଟମ ବାର୍ଷିକ ବୈଠକ ଶନିବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡିଏମଏଫ ପାଣ୍ଠି ବିନିଯୋଗରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ କିପରି ଆଗକୁ ନିଆଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଡିଏମ୍‌ଏଫ୍‌ ଟ୍ରଷ୍ଟର ଅଧ୍ୟକ୍ଷ ଓ ମ୍ୟାନେଜିଂ ଟ୍ରଷ୍ଟି ନିଖିଲ ପବନ କଲ୍ୟାଣ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଡିଏମଏଫ ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ତଥା ନୂଆ କରି ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏହି ପାଣ୍ଠି କେବଳ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଉଛି ବୋଲି ଜିଲ୍ଲାପାଳ ଏହି ଅବସରରେ ସୂଚନା ଦେଇଥିଲେ । ବିଶେଷକରି ଡିଏମ୍‌ଏଫ୍‌ର କାର୍ଯ୍ୟ ଖସଡ଼ାରେ ଅଗ୍ରାଧିକାର ଦିଆଯାଉଥିବା ବିଷୟ ତଥା ଜିଲ୍ଲାର ଦୀର୍ଘକାଳୀନ ବିକାଶ ଲାଗି ଆବଶ୍ୟକ ବିଭିନ୍ନ ଅଭିନବ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ । ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ସଦସ୍ୟ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ନିମନ୍ତ୍ରିତ ସଦସ୍ୟ ଭାବେ ତଳସରା ବିଧାୟକ ଭବାନୀଶଙ୍କର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

7 + 20 =