ଆତ୍ମସମର୍ପଣ କଲା ମାଓବାଦୀ ଆଇତୁ କୋରସା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆତ୍ମସମର୍ପଣ କରିଛି କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ) ଡିଭିଜନ ସିପିଆଇ (ମାଓବାଦୀ) ଦଳର ଜଣେ ସକ୍ରିୟ ସଦସ୍ୟ କ୍ୟାଡର ମାଓବାଦୀ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଳକରଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛି । ଆଇତୁର ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅନ୍ତର୍ଗତ ମନକେଲି ଗାଁରେ । ୨୦୧୨ ମସିହାରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା । ୨୦୧୩ରେ ତାକୁ ସୁନାବେଡ଼ା ଡିଭିଜନକୁ ପଠା ଯାଇଥିଲା । ସେଠାରେ ଦୁଇ ମାସ ରହିବା ପରେ ସେହି ବର୍ଷ ତାକୁ ବିବିଏମ୍‌ ଡିଭିଜନକୁ ପାର୍ଟି ମେମ୍ବର ଭାବେ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରେ ତାକୁ ୧୨ ବୋର୍ ରାଇଫଲ ଦିଆଯାଇଥିଲା । ୨୦୧୬ରେ ତାକୁ କେକେବିଏନ୍ ଡିଭିଜନକୁ ପଠାଯାଇଥିବା ବେଳେ ୨୦୧୮ରେ ତାକୁ କୋଡ଼ଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିରେ ଏସିଏମ୍‌ ପଦବୀକୁ ଉନ୍ନୀତ କରାଯାଇଥିଲା । ଆଇତୁ ବିଭିନ୍ନ ମାଓବାଦୀ କାର୍ୟ୍ୟକଳାପରେ ସମ୍ପୃକ୍ତ ଥିଲା । ୨୦୧୭ ମସିହା ଡିସେମ୍ବର ମାସରେ ଗୋଛାପଡ଼ା ଥାନା ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ, ୨୦୧୯ରେ କୋଡ଼ିଙ୍ଗା ଅଞ୍ଚଳରେ ହୋଇଥିବା ଗୁଳି ବିନିମୟ, ୨୦୧୯ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍ ଇନ୍‌ଫର୍ମର ସନ୍ଦେହରେ ହୋଇଥିବା କୈଳାସ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣା ଏବଂ ୨୦୨୦ରେ ଖମନଖୋଲ ଅଞ୍ଚଳରେ ହୋଇଥିବା ଆଇଇଡି ବିସ୍ଫୋରଣ ସହିତ ୨୦୨୧ରେ ଏପ୍ରିଲ୍‌ରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ପୁଲିସ୍ ସହିତ ହୋଇଥିବା ଗୁଳିବିନିମୟ ଘଟଣାରେ ସେ ସଂପୃକ୍ତ ରହିଥିଲା ।

ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ପୁଷ୍ପଗୁଚ୍ଛ ଦେଇ ଆଇତୁକୁ ସ୍ବାଗତ କରିଛନ୍ତି । ମାଓବାଦୀ କାର୍ୟ୍ୟକଳାପ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ ସେ ଆତ୍ମସମର୍ପଣ କରିଥିବା ଡିଆଇଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 × five =