ଆବାସ ଯୋଜନାରେ କୋସଳାଞ୍ଚଳକୁ ଉପେକ୍ଷା ପ୍ରସଙ୍ଗ : ଆଞ୍ଚଳିକ ବୈଷମ୍ୟତା ବିରୁଦ୍ଧରେ ଆସନ୍ତା ୨୩ରୁ କେୱାଇସିସିର ପଦଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ସରକାର ରାଜ୍ୟରେ ପ୍ରାୟ ୮୧୭୪୪୪ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଷଣା କରିଛନ୍ତି । ଯୋଜନାର ୯୮% କେବଳ ଉପକୂଳ ଓଡିଶା ପାଇଁ ଧାର୍ଯ୍ୟ କରଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଏହି ଯୋଜନାରେ କୋଶଳାଞ୍ଚଳର ୯ଟି ଜିଲ୍ଲାକୁ ସଂପୁର୍ଣ୍ଣ ବାଦ ଦିଆଯାଇଛି, ଯାହା ଓଡିଶା ସରକାରଙ୍କ ଆଞ୍ଚଳିକ ବୈଷମ୍ୟର ଆଉ ଏକ ଚରମ ଉଦାହରଣ ବୋଲି ସ୍ବର ଉଠାଇଛି କେୱାଇସିସି । କୋସଳବାସୀଙ୍କ ପ୍ରତି ଓଡିଶା ସରକାରଙ୍କ ଏହି ବୌଷମ୍ୟତା କୋସଳ ଯୁବ ସମନ୍ୱୟ ସମିତି ଦୃଢ ନିନ୍ଦା କରିବା ସହ ଏହାର ବିରୁଦ୍ଧରେ ଆସନ୍ତା ୨୩ ତାରିଖରୁ ପଦଯାତ୍ରା କରି କୋସଳବାସୀଙ୍କୁ ଏକଜୁଟ କରିବ ବୋଲି ସ୍ଥାନୀୟ ଯାଦବ ଭବନ ଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କେୱାଇସିସି କହିଛି । କୁହାଯାଇଛି ଯେ, ଓଡିଶା ରାଜ୍ୟ ଗଠନ ସମୟରେ ସାମଗ୍ରିକ ବିକାଶର ପ୍ରତିଶୃତି ଦେଇ କୋସଳାଞ୍ଚଳକୁ ଓଡିଶାରେ ସାମିଲ କରାଗଲା । କିନ୍ତୁ ଓଡିଶା ଗଠନ ହେବା ପରେ ପୁର୍ବାଞ୍ଚଳ କୋସଳଞ୍ଚଳ ପ୍ରତି ଅଞ୍ଚଳିକ ବୈଷମ୍ୟ ନୀତି ଜାରି ରଖିଲା । ବର୍ଷ ବର୍ଷ ଧରି କୋସଳାଞ୍ଚଳକୁ ଜାଣି ଶୁଣି ଅଣଦେଖା କରାଗଲା । ଏପରିକି ପ୍ରକୃତିକ ବିପର୍ଯ୍ୟୟରେ ମଧ୍ୟ ଉପକୂଳ ଓଡିଶା ଓ କୋସଳାଞ୍ଚଳ ପ୍ରତି ଭିନ୍ନ ଭିନ୍ନ ନୀତି ଅବଲମ୍ବନ କରାଯାଉଛି । ଯାହା ଜାତୀୟ ମାନବାଧିକାର କମିଶନ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନଜରକୁ ମଧ୍ୟ ଆସିଛି । ତା’ ସତ୍ୱେ ଓଡିଶା ସରକାରଙ୍କ ଅଞ୍ଚଳିକ ବୈଷମ୍ୟତାରେ କିଛି ସୁଧାର ଆସିନାହିଁ । ଏହି ଆଞ୍ଚଳିକ ବୈଷମ୍ୟତାରୁ ମୁକ୍ତି ଓ କୋସଳାଞ୍ଚଳର ପ୍ରଗତି ପାଇଁ ସ୍ୱତନ୍ତ୍ର କୋସଳ ରାଜ୍ୟ ଗଠନ ହିଁ ଏକ ମାତ୍ର ସମାଧାନ । ତେଣୁ, ରାଜ୍ୟ ସରକାରଙ୍କ ଏହି ଆଞ୍ଚଳିକ ବୈଷମ୍ୟତା ବିରୁଦ୍ଧରେ କୋସଲ ଯୁବ ସମନ୍ୱୟ ସମିତି ଆସନ୍ତା ୨୩ ତାରିଖରୁ ପଦଯାତ୍ରା କରି ଜନ ଜାଗରଣ ଅଭିଯାନ ଆରମ୍ଭ କରିବ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ମାଣୀକେଶ୍ୱରୀ ମନ୍ଦିରରୁ ଏହି ୬ ଦିନିଆ ପଦଯାତ୍ରା ଆରମ୍ଭ ହୋଇ ୨୯ ତାରିଖରେ ବରଗଡ ଗାନ୍ଧୀ ଛକ ଠାରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି । ଆଗାମୀ ଦିନରେ କୋସଳାଞ୍ଚଳର ବିଭିନ୍ନ ଜିଲ୍ଲାରେ ଏଭଳି ପଦଯାତ୍ରା କରାଯାଇ ଓଡିଶା ସରକାରଙ୍କ ଅଞ୍ଚଳିକ ବୈଷମ୍ୟତା ବିରୁଦ୍ଧରେ ଜନ ଜାଗରଣ କରାଯିବା ସହ ବିରାଟ ଜନ ଅନ୍ଦୋଳନ କରାଯିବ ବୋଲି କୋସଳ ଯୁବ ସମନ୍ୱୟ ସମିତି କହିଛି । କେୱାସିସିର କାର୍ଯ୍ୟକାରୀ ସଭାପତି ରିଲୁ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପ ସଭାପତି ବିନୋଦ କାଲସାଏ, ସଂପାଦକ ଅଚ୍ୟୁତ ଖମାରୀ, ଗିରିରାଜ ଭୋଇ ଓ ମନୋରଞ୍ଜନ ଖୁଆସ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.