ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଏକ୍ସନ କମିଟି କାର୍ଯ୍ୟାଳୟରେ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଅଗ୍ରଗତି ତଥା ବିସ୍ଥାପିତ ଭାଇ ଓ ଭଉଣୀ ମାନେ କିପରି ଉଚିତ କ୍ଷତିପୂରଣ ପାଇ ସମ୍ମାନର ସହ ବିସ୍ଥାପିତ ହେବେ ଏବଂ ବିସ୍ଥାପିତ ହେଲା ପରେ ଠିକ୍ ଭାବରେ ଥଇଥାନ ହୋଇ ପାରିବେ, ତାକୁ ଅଗ୍ରାଧିକାର ଦେବା ପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗିର ଏକ୍ସନ କମିଟି ୨୦୦୯ ମସିହାରୁ ଲୋୟର ସୁକତେଲ ପ୍ରକଳ୍ପକୁ “ବଲାଙ୍ଗିରର ଜୀବନରେଖା” ଭାବେ ନାମିତ କରିବା ସଙ୍ଗେ ସଙ୍ଗେ ନିରବଛିନ୍ନ ଭାବରେ ପ୍ରକଳ୍ପର ତ୍ୱରିତ୍ ନିର୍ମାଣ ତଥା ବିସ୍ଥାପିତ ମାନଙ୍କୁ ଉଚିତ୍ କ୍ଷତିପୂରଣ ଦେବା ସହ ସମ୍ମାନର ସହ ଥଇଥାନ କରିବା ଦାବୀରେ ଆନ୍ଦୋଳନ କରିଆସୁଛି ।
ବିଭିନ୍ନ ସମୟରେ, ଯଥା ୨୦୧୨ ମସିହାରେ ଦୀର୍ଘ ଦିନ ଧରି ଆମରଣ ଅନଶନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଭୟ ପ୍ରକଳ୍ପ ନିର୍ମାଣ ତଥା ବିସ୍ଥାପିତଙ୍କ ଉଚିତ ଥଇଥାନ ଦାବୀ ରଖିବା ହେଉ କିମ୍ବା ୨୦୧୭ ମସିହାରେ ଓଡିଶାରେ ପ୍ରଥମ ଥର ପାଇଁ ଜଳ ସତ୍ୟାଗ୍ରହ ମାଧ୍ୟମରେ ବିସ୍ଥାପିତ ମାନଙ୍କୁ ୨୦୧୩ ଆଇନ ଅନୁସାରେ କ୍ଷତିପୂରଣ ଦେବା ଦାବୀ ରଖିବା ହେଉ, ଆନ୍ଦୋଳନ ଜାରି ରହିଛି । ୨୦୧୭ ମସିହାରେ କମିଟିର ଜଳ ସତ୍ୟାଗ୍ରହର ପ୍ରଭାବରେ ତତ୍କାଳୀନ ପ୍ରମୁଖ ଜଳସେଚନ ସଚିବ, ସମଗ୍ର ବୁଡ଼ିଅଞ୍ଚଳ ପାଇଁ ଯେଉଁ ଗାଁମାନେ ଆଗରୁ ପାଉଣା ନେଇ ସାରିଛନ୍ତି ସେମାନଙ୍କୁ ୨୦୧୩ ଆଇନ ବଦଳରେ ଏକ୍ସଗ୍ରାସିଆ ପାଉଣା ଦେବା ପାଇଁ କମିଟିକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ସରକାର ମାନି ନେଇଥିଲେ । ଏହା ବ୍ୟତୀତ କମିଟି ୨୦୧୭ ମସିହାରୁ ନିରବଛିନ୍ନ ଭାବରେ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ନିର୍ମାଣ ତଥା ବିସ୍ଥାପିତଙ୍କ ଉଚିତ୍ ଥଇଥାନ ଦାବୀକୁ ରଖିବା ସହ ସରକାରଙ୍କୁ ଅଙ୍ଗୀକାରବଦ୍ଧ କରିବା ପ୍ରୟାସ ଜାରି ରଖିଛି ।
କମିଟି ବୈଠକରେ ବଲାଙ୍ଗିର ଏମ୍ପି ସଂଗୀତା କୁମାରୀ ସିଂଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ଠାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ତ୍ୱରିତ ନିର୍ମାଣ ତଥା ବିସ୍ଥାପିତ ମାନଙ୍କ ଉଚିତ ଥଇଥାନ ଦାବୀକୁ ଦୃଢ଼ ଭାବେ ଉପସ୍ଥାପନ କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ବଲାଙ୍ଗିର ଏକ୍ସନ କମିଟି ସଦାସର୍ବଦା ବିସ୍ଥାପିତ ମାନଙ୍କ ସହିତ ରହିଛି ଏବଂ ଆଗକୁ ମଧ୍ୟ ରହିବ । ବୁଡି ଅଂଚଳ ଗ୍ରାମବାସୀ ଯେପରି ଭାବରେ ଆମକୁ ବିଶ୍ୱାସ କରି ପ୍ରକଳ୍ପ ସମର୍ଥନରେ ଆନ୍ଦୋଳନ କରିଥିଲେ, ତାକୁ କମିଟି କେବେ ଭୂଲି ନାହିଁ କି ଭୂଲିବ ନାହିଁ । କୌଣସି ବିସ୍ଥାପିତ ପରିବାର ପ୍ରତି ଯେପରି କୌଣସି ଅନ୍ୟାୟ ନହୁଏ ଏବଂ ପ୍ରକଳ୍ପର ବିସ୍ଥାପିତ ଭାଇ ଏବଂ ଭଉଣୀ ମାନେ ଉଚିତ୍ କ୍ଷତିପୂରଣ ପାଇବା ସଙ୍ଗେ ସଙ୍ଗେ ସମ୍ମାନର ସହ ବିସ୍ଥାପିତ ହେବେ ଏବଂ ବିସ୍ଥାପିତ ହେବାପରେ ସମ୍ମାନର ସହ ଥଇଥାନ ହେବେ ତାକୁ ସରକାର ଏବଂ ପ୍ରଶାସନ ଅଗ୍ରାଧିକାର ଦେବା ପାଇଁ କମିଟି ତରଫରୁ ଦୃଢ ଦାବୀ ରଖାଯାଇଛି । ଏହା ନହେଲେ କମିଟି ପୁନର୍ବାର ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି କୁହାଯାଇଛି ।
ଏହି ବୈଠକରେ କମିଟିର ଉପସଭାପତି ମୁନା ପଟ୍ଟନାୟକ, ବରିଷ୍ଟ ସଭ୍ୟ ଗିରୀଶ ସିଂହଦେଓ, ମଗନଲାଲ ଅଗ୍ରୱାଲ, ବିକ୍ରମାନନ୍ଦ ବହିଦାର, ଯୁବ ସଂଯୋଜକ ରିଲୁ ରଥ, ଯୁବ ସଭାପତି ବିନୋଦ କାଳସାଇ, ଯୁବ ଉପସଭାପତି ସନ୍ତୋଷ ପଟ୍ଟନାୟକ, ରବି ଖମାରି, ସଞ୍ଜୟ ସାହୁ, ରାଜେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।