jayashree

ନିଜେ ହିଁ ନିଜର ସୁରକ୍ଷା କବଚ ହେବାକୁ ପଡ଼ିବ : ରାଖାଲ୍‌ ନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଦାଉରୁ ରକ୍ଷା ପାଇବା ପାଇଁ ନିଜେ ହିଁ ନିଜର ସୁରକ୍ଷା କବଚ ହେବାକୁ ପଡ଼ିବ ବୋଲି ବିଶିଷ୍ଟ ଆଇନଜୀବୀ ରାଖାଲ୍‌ ନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଜନିତ ଭୟାବହତା କମି ଆସୁଥିବା ବେଳେ ତୃତୀୟ ଲହରର ଆଶଙ୍କା ଦେଖାଦେଲାଣି । ଆମ ନିଜ ଅଭିଜ୍ଞତାରୁ ଆମେ ଗୋଟିଏ କଥା ଭଲ ଭାବରେ ବୁଝି ପାରୁଛୁ । ସରକାର ଓ ସରକାରୀ କଳ ଉପରେ ଆଦୌ ବିଶ୍ୱାସ କରି ହେବନାହିଁ । ଏମାନେ ମେଳା, ନିର୍ବାଚନ ଆଦିରେ ବ୍ୟସ୍ତ ରହି ଜନସାଧାରଣଙ୍କ ମୌଳିକ ସୁବିଧା ଯେପରି ହସ୍‌ପିଟାଲ୍‌ ବେଡ୍‌, ଅକ୍ସିଜେନ ସୁଦ୍ଧା ଯୋଗାଇ ଦେବା ପାଇଁ ଆଗ୍ରହୀ ନୁହନ୍ତି ।

ବିଶିଷ୍ଟ ଆଇନଜୀବୀ ଶ୍ରୀ ନନ୍ଦ କ୍ଷୋଭର ସହ ପ୍ରକାଶ କରିଛନ୍ତି ଯେ, ଅନ୍ୟ ଦେଶକୁ ଟୀକା ବିକ୍ରି କରି ମୁଷ୍ଟିମେୟ ପୁଂଜିପତିଙ୍କୁ ବିତ୍ତଶାଳୀ ସିଦ୍ଧ କରିବା ଦିଗରେ ଅଂଟା ଭିଡ଼ିଛନ୍ତି ସରକାର । ନିଜ ଦେଶବାସୀଙ୍କ ଟୀକାକରଣ ତୁରନ୍ତ କେମିତି ସମାପ୍ତ ହେବ, ସେ ଦିଗରେ ଚିନ୍ତା କରୁନାହାନ୍ତି । ଟୀକାକରଣ କେନ୍ଦ୍ରରେ କାହାର ଫଟୋ ରହିବ, ସେଥିରେ ସମୟ ନଷ୍ଟ ସିନା କରିବେ, ଶିଶୁମାନଙ୍କୁ କିପରି ଆଗାମୀ ତୃତୀୟ ଲହରରୁ ରକ୍ଷା କରାଯାଇ ପାରିବ, ସେ ଦିଗରେ ଭାବିବେ ନାହିଁ । ତେଣୁ ଆମେ ନିଜେ ନିଜ ପାଇଁ, ପରିବାର ପାଇଁ ଓ ଭବିଷ୍ୟତ ବଂଶଧରଙ୍କ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । କଡ଼ାକଡ଼ି ଭାବରେ ମାସ୍କ ପରିଧାନ କରିବା, ବାରମ୍ବାର ସାନିଟାଇଜର୍‌ ବ୍ୟବହାର କରିବା, ସ୍ୱଚ୍ଛତା ରକ୍ଷା କରିବାକୁ ପଡ଼ିବ । ସାମାଜିକ ଦୂରତା କଟକଣାକୁ ମାନି ବାହାଘର, ବ୍ରତଘର ଆଦି ପାଳନ କରିବାକୁ ହେବ । ପ୍ରତିଷେଧକ ବ୍ୟବସ୍ଥା ହିଁ ଏକମାତ୍ର ରକ୍ଷାକବଚ । ସଚେତନତା ଓ ସତର୍କତା ଯୋଗୁଁ କରୋନାକୁ ପରାସ୍ତ କରିହେବ ।

Leave A Reply

Your email address will not be published.