ବାତ୍ୟା ‘ୟାସ’କୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର
ଭୁବନେଶ୍ୱର, (କେପିଏନ୍ଏସ୍) : ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରି ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି । ‘ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯ଼େ, ରାଜ୍ୟ ଏବେ ଏକ ସମୟରେ ଦୁଇଟି ବିପଦ- କରୋନା ମହାମାରୀ ଓ ବାତ୍ୟାର ସମ୍ମୁଖୀନ ହେଉଛି । ଏହି ବିପଦର ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଲୋକମାନଙ୍କୁ ପ୍ରଶାସନକୁ ସହଯ଼ୋଗ କରିବାକୁ ସେ ନିବେଦନ କରିଛନ୍ତି । ଗତ ଏକ ବର୍ଷରୁ ଅଧିକ ସମୟ ହେଲା କୋଭିଡ ବିରୋଧରେ ଲଢେଇ ଜାରି ରହିଛି । ଏହି ସମୟରେ ‘ୟାସ’ ବାତ୍ୟା ଆମ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି । ଆମକୁ ଏହାକୁ ସାମନା କରିବାକୁ ପଡ଼ିବ । ଗତ ବର୍ଷ ଆମେ ମଧ୍ୟ କରୋନା ସହିତ ଅମ୍ପନ ବାତ୍ୟାର ସମ୍ମୁଖୀନ ହୋଇଥିଲୁ ଓ ତାହାର ସଫଳ ସାମନା କରିଥିଲୁ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, କିନ୍ତୁ ଆମକୁ ସତର୍କ ରହିବାକୁ ହେବ । ସାମାନ୍ୟ ଅବହେଳା ବଡ଼ ବିପଦ ଆଣିପାରେ । ଏଣୁ ଲୋକମାନେ ପ୍ରଶାସନକୁ ସହଯ଼ୋଗ କରିବା ସହ ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଆସନ୍ତୁ । ଆଶ୍ରୟସ୍ଥଳରେ ବି ଲୋକମାନେ ଡବଲ ମାସ୍କ ପିନ୍ଧନ୍ତୁ । ଏହା ସହିତ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ଓ ସାନିଟାଇଜର ବ୍ୟବହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।