ମୃତାହ ଭୋଜି ବନ୍ଦ କରିବା ପାଇଁ ଅନୁରୋଧ କଲା ଗୋଁଣ୍ଡ ମହାସଭା

  • ମହାସଭା ଦ୍ୱାରା ଭିଡିଓ କନଫରେନସ୍‌ ମାଧ୍ୟମରେ ବକୃତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି
    ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓଡିଶା ପ୍ରଦେଶ ଓ ଜିଲ୍ଲା ଅୟୋଜନ ସମିତି ବଲାଙ୍ଗିର ଓ ଝାରସୁଗୁଡା ଆନୁକୁଲ୍ୟରେ ଭିଡିଓ କନଫରେନସ୍‌ ମାଧ୍ୟମରେ ଏକ ସଭା ଆୟୋଜିତ ହୋଇଥିଲା । ବିଗତ ସଭା ମାନଙ୍କରେ ନିଆଯାଇଥିବା ନିଷ୍ପତି ଅନୁସାରେ ସଂପ୍ରତି କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସଚେତନ କରି ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ନୀତିନିୟମ ଓ ମାର୍ଗଦର୍ଶିକା ପାଳନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ସମୟରେ ସମାଜରେ ଘଟୁଥିବା ମୃତାହତ ଶୁଦ୍ଧ କ୍ରିୟା ସରଳ ଭାବରେ ସମାପନ କରି ଭୋଜିକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି ଏବଂ କରୋନା ଜନିତ ମୃତ୍ୟୁର ଶବ ସଂସ୍କାର ପୂର୍ବ ପରି ପାଳନ ହେବ ନାହିଁ । ସେହିଭଳି ବିବାହ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖିବା ଓ ଜରୁରୀ ଥିଲେ ସରକାରଙ୍କ ନିୟମ ମାନି ନିରାଡମ୍ବର ଭାବରେ ସମାପନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଶିକ୍ଷା ପଦ୍ଧତି ସଂପୂର୍ଣ୍ଣ ଭାବରେ ଭୁସୁଡି ପଡିଥିବାରୁ ଚିନ୍ତା ପ୍ରକଟ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଭିଡିଓ କନଫରେନସ୍‌ ମାଧ୍ୟମରେ ବକୃତା ପ୍ରତିଯୋଗିତା ଆୟୋଜନର ପ୍ରସ୍ତୁତି ତଥା ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଚାରୋଟି ବଡଦେଓ ପାଠାଗାର ପ୍ରତିଷ୍ଠା କରିବା ପାଇଁ ସୂଚନା ଦିଆଯାଇଥିଲା । ସମାଜରେ ଅନ୍ୟ ଜାତିରେ ବିବାହ ଓ ସମଗୋତ୍ରୀ ବିବାହ ଉପରେ ଆଲୋଚନା ହୋଇଥିଲା । ସଭାରେ ରାଜ୍ୟ ସଭାପତି ମହେନ୍ଦ୍ର ନାଏକଙ୍କ ଅଧକ୍ଷତାରେ ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ ସ୍ୱାଗତ କରିଥିବା ବେଳେ ରାଜ୍ୟ ସଂଗଠନ ମହାସଚିବ ପ୍ୟାରୀମୋହନ ନାୟକ, ଶିକ୍ଷା ମହାସଚିବ ମୀନକେତନ ମାଝୀ ପରିଚାଳନା କରିଥିଲେ । ରାଜ୍ୟ କମିଟିର ଉପସଭାପତି ବିନୋଦ ବିହାରୀ ମଲ୍ଲୀକ, ଦମୟନ୍ତୀ ମହାପାତ୍ର, ମହାସଚିବ ଚୁଡାମଣୀ ଧରୁଆ, ରାଜ୍ୟ ମହିଳା ସଭାନେତ୍ରୀ ସୁକାନ୍ତି ବାଳା ନାୟକ, ଝାରସୁଗୁଡା ଜିଲ୍ଲା ସଭାପତି ଡମ୍ବରୁଧର ନାୟକ, ଶ୍ୟାମଲାଲ ନାଏକ, ଖୁସିରାମ ମଲ୍ଲୀକ, ଧରମସିଂ ଧରୁଆ, ବିପ୍ର ବିଶି, ତନ୍ତ୍ର ନେଟି, ଲଲିତ ପୁଟା, ସୁବ୍ରତ କୁଅଁର, ଗିତାଞ୍ଜଲି ମାଝୀ, ମକୁନ୍ଦ ଧରୁଆ, ହାଡୁ ଭୋଇ, ଶମ୍ଭୁ ଭୋଇ ଓ ସମସ୍ତ ବ୍ଲକ ସଭାପତି ଦଶରଥ ଛତ୍ରୀଆ, ମହାସଚିବ, ସଭ୍ୟସଭ୍ୟା, ପୌରାଞ୍ଚଳର ସଭ୍ୟସଭ୍ୟା ସହ ଶତାଧିକ ଅଂଶ ଗ୍ରହଣ କରି ମତ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ମହାସଚିବ ରାମଚନ୍ଦ୍ର ଧରୁଆ ଧନ୍ୟବାଦ ପ୍ରଦାନ କରିଥିଲେ ।
Leave A Reply

Your email address will not be published.