jayashree

ଧଳପୁର ୭ନଂ ୱାର୍ଡରେ ପାଣି ପାଇଁ ହାହାକାର : ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କଲେ ମହିଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାନଦୀ ପାର୍ଶ୍ଵରେ ଅବସ୍ଥିତ ଧଳପୁର ପଞ୍ଚାୟତର ୭ନଂ ୱାର୍ଡରେ ଉତ୍କଟ ପାନୀୟ ଜଳ ସଙ୍କଟର ପ୍ରତିକାର ପାଇଁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନଯିବାରୁ ପ୍ରତିବାଦରେ ମଙ୍ଗଳବାର ସ୍ଥାନୀୟ ମହିଳାମାନେ ପୁରୁଣାକଟକ-ଧଳପୁର ରାଜ୍ୟ ରାଜପଥରେ ନିଆଁଜାଳିବା ସହ ରାସ୍ତା ଉପରେ ଡେକଚି, ଗରା ,ବାଲଟି ରଖି ଅବରୋଧ କରିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନା ମତେ ଏହି ବସତିରେ ଥିବା ୨ଟି ନଳକୂପ ରୁ ଗୋଟିଏ ଆଜକୁ ୪ମାସ ତଳେ ଖରାପ ହୋଇଯିବା ପରେ ଅନ୍ୟ ଗୋଟିକ ଗତ ୧୫ଦିନ ତଳେ ଅଚଳ ହୋଇପଡିଥିଲା । ଫଳରେ ସେଠାରେ ବସବାସ କରୁଥିବା ପ୍ରାୟ ଶହେରୁ ଅଧିକ ପରିବାର ପାନୀୟ ଜଳ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଶୋଷ ମେଣ୍ଟାଇବା ପାଇଁ ସେଠାରୁ ପାଖାପାଖି ୩ କିମି ଦୂରରେ ଥିବା ମହନଦୀରୁ ପାଣି ଆଣୁଥିଲେ । ଏହି ସମ୍ପର୍କରେ ସେମାନେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ନେଇ ଚାରିଛକ ସ୍ଥିତ ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀଙ୍କୁ ଜଣାଇବା ସତ୍ତ୍ଵେ କୌଣସି ପ୍ରତିକାର ନହେବାରୁ ଶେଷରେ ଏହାର ପ୍ରତିବାଦ ଜଣାଇ ସକାଳ ୯ଟା ବେଳେ ରାଜପଥ ଉପରେ ନିଆଁ ଲଗାଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଏବଂ ନଳକୂପ ମରାମତି ଷ୍ଟାଫ ୧୨ଟା ବେଳେ ଘଟଣା ସ୍ଥଳରେ ପହଁଚି ଗୋଟିଏ ନଳକୂପ ମରାମତି କରାଇବା ସହ ଆସନ୍ତା ୧୫ ଦିନ ମଧ୍ୟରେ ସେହି ବସତିକୁ ପାଇପ ଜଳ ଯୋଗାଣ ପାଇଁ ପାଇପ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ୩ଘଣ୍ଟା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ଛୁଇଁ ସାରିଲାଣି । କୂଅ ଗାଡ଼ିଆ ପୋଖରୀ ସବୁ ଶୁଖିଲା ପଡିଗଲାଣି । କେବଳ ମଣିଷ ନୁହଁ ଗାଈଗୋରୁ ଠାରୁ ବିଭିନ୍ନ ଗୃହ ପାଳିତ ପଶୁପକ୍ଷୀମାନେ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହେବାରେ ଲାଗିଛନ୍ତି । ସରକାର ଯେ କୌଣସି ସ୍ଥାନରେ ନଳକୂପ ଖରାପ ହେଲେ ୨୪ଘଣ୍ଟା ମଧ୍ୟରେ ତାକୁ ସଜାଡି ବାକୁ ନିର୍ଦ୍ଦେଶ ନାମା ଜାରୀ କରିଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କର ଅନ୍ତରିକତାର ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କର ଇଚ୍ଛା ଶକ୍ତି ଅଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି । ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି । କୂଅ ଗାଡ଼ିଆ ପୋଖରୀ ସବୁ ଶୁଖିଲା ପଡ଼ିଲାଣି । ନଳକୂପ ଗୁଡିକର ମରାମତି ଅଭାବରୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।

Leave A Reply

Your email address will not be published.