ପରିବା ବିକାଳିଙ୍କୁ ପୌର କର୍ମଚାରୀଙ୍କ ମାଡ : ଥାନାରେ ମାମଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସପ୍ତାହାନ୍ତ ସଟ୍‌ଡାଉନ ଖୋଲୁ ଖୋଲୁ ଝାମେଲା ଆରମ୍ଭ ହୋଇଛି । ରାସ୍ତାକଡରୁ ପରିବା ବିକାଳିଙ୍କୁ ଉଠାଇବା ପାଇଁ ପୌର ବିଭାଗ ଓ ପୋଲିସ ଯାଇଥିବା ସମୟରେ ପରିବା ବିକାଳିଙ୍କୁ ଏନଫୋର୍ସମେଣ୍ଟ ଅଫିସର ମାଡ ମାରିଥିବା ଅଭିଯୋଗ ହୋଇଛି । ମାଡରେ ରାକେଶ ମେହେର ନାମକ ଜଣେ ଯୁବକ ମୁର୍ମୁଷ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ପରିବା ବିକାଳି ସଂଘ ତରଫରୁ ଥାନାରେ ଏତଲା ଦିଆଯାଇଛି । ମାମଲାର ସମାଧାନ ପାଇଁ ଚେଷ୍ଟା କରିବା ସହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉକ୍ତ ଯୁବକଙ୍କୁ ଡାକ୍ତରକାନାରେ ଭର୍ତ୍ତି କରିଥିବା ସୂଚନା ରହିଛି । ସୂଚନା ଅନୁସାରେ ଆଜି ସକାଳୁ ବଲାଙ୍ଗିର ପୌର ବିଭାଗ ତରଫରୁ ସ୍ଥାନୀୟ ଡେଲିମାକେର୍ଟ ରାସ୍ତା କଡ଼ରେ ବସୁଥିବା ପରିବା ବିକାଳି ମାନଙ୍କୁ ରାସ୍ତାରୁ ଉଠାଇବା ପାଇଁ ପୋଲିସ ନେଇ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଯାଇଥିଲେ । ପରିବା ବିକାଳିମାନଙ୍କୁ ଥଇଥାନ କରା ନଯାଇ ତାଙ୍କ ସ୍ଥାନରୁ ଉଠାଇବା ନେଇ ପରିବା ବିକାଳିମାନେ ଅଭିଯୋଗ କରିଥିଲେ । ଏଥିରେ କିଛି ଏନଫୋର୍ସମେନ୍ଟ କର୍ମଚାରୀ ରାଗି ଯାଇ ରାକେଶ ମେହେର ଓ ଅନ୍ୟମାନଙ୍କୁ ମାରପିଟ କରିଥିଲେ । ମାଡ ଖାଇ ରାକେଶ ଗୁରୁତର ହେବାରୁ ତାଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ବିଧାୟକ ଡାକ୍ତରଖାନାକୁ ପହଞ୍ଚି ରାକେଶ ଓ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ପରେ ବିନା ଥଇଥାନରେ କାହକୁ ତଡି ଦିଆଯାଇ ପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ କହିଥିଲେ । ତେବେ ଜିଲ୍ଲା ପ୍ରଶାସନ ଓ ପରିବା ବିକାଳିଙ୍କ ମଧ୍ୟରେ ବିକ୍ରୟ ସ୍ଥାନକୁ ନେଇ କୌଣସି ସହମତି ପ୍ରକାଶ ପାଇ ପାରିନାହିଁ । ଅଭିଯୋଗ ମୁତାବକ ଥାନାରେ ମାମଲା ଗ୍ରହଣ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଅନ୍ୟ ପକ୍ଷରେ କେହି ପରିବା ବିକାଳିଙ୍କୁ ମାଡ ମାରି ନଥିବା ପୌର ବିଭାଗ ତରଫରୁ କୁହାଯାଇଥିବା ବେଳେ ମାଡ ଘଟଣାକୁ ନେଇ ଅଂଚଳରେ ତୀବ୍ର ଅସୋନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.