ଜନ ସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ବିତରଣରେ ଅବହେଳାକୁ ନେଇ ଜିଲ୍ଲାପାଳ କ୍ଷୁବ୍ଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ ସମସ୍ୟା । ଏହି ସମସ୍ୟା ପାଇଁ କେତେବେଳେ ରାସ୍ତାରୋକ ତ’ କେତେବେଳେ ସହର ବନ୍ଦ । କେବେ ସାତ ଦିନରେ ଥରେ ତ’ ଦଶ ଦିନରେ ଥରେ ପାନୀୟ ଜଳ ଯୋଗାଣ ହେଉଛି । ଏହା ମଧ୍ୟରେ ଟିଟିଲାଗଡ ପ୍ରଶାସନ ଦ୍ବାରା ଆରମ୍ଭ ହୋଇଛି ପାଣି ଟାଙ୍କି ମାଧ୍ୟମରେ ଜଳ ଯୋଗାଣ। କିନ୍ତୁ ପାନୀୟ ଜଳ ସମସ୍ୟାର କୌଣସି ସମାଧାନ ହୋଇ ପାରିନାହିଁ । ଏହାର ପ୍ରତିବାଦରେ ଗତ ରବିବାର ଦିନ ଗରିବ ସେନା ତରଫରୁ ସର୍ବଦଳୀୟ ବୈଠକ ବସିଥିବା ବେଳେ ଭାଜପା ଯୁବ ମୋର୍ଚ୍ଚା ତରଫରୁ ସୋମବାର ଦିନ ଟିଟିଲାଗଡ ବନ୍ଦ ଡାକରା ଦିଆଯାଇଥିଲା । ଏଣୁ ଟିଟିଲାଗଡର ଜନ ସ୍ଵାସ୍ଥ୍ୟ ବିଭାଗର କାର୍ୟ୍ୟ କଳାପର ସମୀକ୍ଷା କରିବାକୁ ବଲାଙ୍ଗିର ଜିଲ୍ଲାପାଳ ଜିଲ୍ଲା ଜନ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ନେଇ ଟିଟିଲାଗଡ ଗସ୍ତ କରିଥିଲେ । ଟିଟିଲାଗଡ ସହରର ବିଭିନ୍ନ ୱାର୍ଡରେ ପାନୀୟ ଜଳର ବ୍ୟବସ୍ଥା ତଦାରଖ କରିବା ସହ ପିଏଚ୍‌ଡି ପାଇପରେ ପାଣି ମୋଟର ଲଗାଇଥିଲେ ତାହାକୁ ଜବତ୍ କରିବାକୁ ଆଦେଶ ଦେଇଥିଲେ । ବିଭିନ୍ନ ପଡ଼ାର ଲୋକ ମାନଙ୍କ ଘରକୁ ଯାଇ ପାଣି ସମସ୍ୟା ସମ୍ବନ୍ଧରେ ପଚାରି ବୁଝିଥିଲେ । ପଡ଼ାବାସୀ ସାତ ଦିନରେ ଥରେ କିମ୍ବା ଦଶ ଦିନରେ ଥରେ ପାଣି ଆସୁଥିବା ସହ ପାଣିର ମାତ୍ର ବହୁତ୍ ଧୀର ଓ କମ୍ ସମୟ ପାଇଁ ଆସୁଥିବା ଅଭିଯୋଗ କରିଥିଲେ । ସହରରେ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣି ରାସ୍ତାରେ ବହୁଥିବା ଦେଖି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପରେ କ୍ଷୁବ୍ଧ ପ୍ରକାଶ କରିଥିଲେ । ଦେଶିଲ ଠାରେ ଟିଟିଲାଗଡ ସହରକୁ ଆସୁଥିବା ମୁଖ୍ୟ ପାଣି ପାଇପରୁ ଦେଶିଲ୍ ଗ୍ରାମର ବିଭିନ୍ନ ସ୍ଥାନରେ ଘର ଘରକୁ ପାଇପ ଲଗାଇ ପାଣି ଅପବ୍ୟବହାର ହେଉଥିବା ଦେଖିଥିଲେ । ଆର୍ଡବ୍ଲୁଏସଏସକୁ ଦେଶିଲ ଗ୍ରାମକୁ ସ୍ଵତନ୍ତ୍ର ପାଇପ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି । ଏହା ସହ ଟିଟିଲାଗଡ ସହରବାସୀ କିପରି ଭାବେ ପାନୀୟ ଜଳ ସମସ୍ୟାରୁ ମୁକ୍ତି ପାଇବେ ତାହା ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ବୈଠକର ଆୟୋଜନ କରିଥିଲେ ।

Leave A Reply

Your email address will not be published.