ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଂସ୍କୃତି ଭବନ ପ୍ରେକ୍ଷାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ କାର୍ୟ୍ୟକ୍ରମରେ ରାଜ୍ୟ ସୂଚନା-ପ୍ରୟୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଓଡିଶା ପ୍ରଦେଶ ଗଠନର ପୂର୍ବସୁରୀଙ୍କୁ ଶ୍ରଦ୍ଧାଞଳି ଦେବା ସହ ଓଡିଶାର କ୍ରମ ବିକାଶ ଉପରେ ଆଲୋକପାତ କରିଛନ୍ତି । ସଂଯୋଗକ୍ରମେ, ୧୯୯୩ ମସିହା ଅପ୍ରେଲ ୧ ପରି ସ୍ମରଣୀୟ ଦିନରେ ସୁବର୍ଣ୍ଣପୁର ନୂତନ ଜିଲ୍ଲା ଭାବେ ପ୍ରତିଷ୍ଠିତ ହୋଇଥିବାରୁ ଏ ମାଟି ମହିମାନ୍ୱିତ ହୋଇଛି ବୋଲି ଅନ୍ୟତମ ଅତିଥି ଡଃ ଦେବାଶିଷ ପାଣ୍ଡିଆ କହିଛନ୍ତି । କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ସଭାପତିତ୍ୱ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଗଠନ ପରେ ବର୍ତ୍ତମାନର ସାମାଜିକ ଓ ଆର୍ଥିକ ବିକାଶକୁ ନେଇ ଆଲୋଚନା କରିଥିଲେ । ବିଶେଷ କରି ଲୋକଙ୍କ ସାମ୍ବିଧାନିକ ଅଧିକାର ଓ ନ୍ୟାୟ ଦେବାରେ ପ୍ରଶାସନ ଯତପରୋନାସ୍ତି ପ୍ରୟାସ ଜାରି ରଖିଥିବା ବେଳେ ସାମଗ୍ରିକ ବିକାଶରେ ଜନ ସହଭାଗିତା ଜରୁରୀ ବୋଲି ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଏହି ଅବସରରେ କେତେଜଣ ପ୍ରତିଭାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.