ଫାଇଭ ଟି’ରେ ସାମିଲ ହେବ ହରଭଙ୍ଗା ହାଇସ୍କୁଲ : ଭିତ୍ତିଭୂମିର ଅନୁଧ୍ୟାନ କରି ଫେରିଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୫ଟି ଯୋଜନାରେ ସାମିଲ କରିବା ପାଇଁ ବୌଦ୍ଧ ଜିଲ୍ଲାରୁ ଚୟନ ହୋଇଛି ବ୍ଲକର ପ୍ରମୁଖ ପୁରାତନ ହରଭଙ୍ଗା ନୋଡାଲ ହାଇସ୍କୁଲ । ଏହି ଯୋଜନାରେ ସାମିଲ ହେବାପରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସକାଶେ ବିଦ୍ୟାଳୟରେ ଭିତ୍ତିଭୂମିର ସୁବିଧା କିପରି ରହିଛି ଏହାର ତଦାରଖ ପାଇଁ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପହଞ୍ଚିଥିଲେ । ଏହି ଅବସରରେ ହରଭଙ୍ଗା ହାଇସ୍କୁଲ ପ୍ରାଙ୍ଗଣରେ ଏକ ‘୫ଟି’ ରୂପରେଖ ନେଇ ଏକ ଅଧିବେଶନ ଆୟୋଜିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ହରଭଙ୍ଗା ହାଇସ୍କୁଲ ଭଳି ଜିଲ୍ଲାର ଏକ ପ୍ରମୁଖ ପୁରାତନ ଶିକ୍ଷାନୁଷ୍ଠା ୫ଟିରେ ସାମିଲ ହେବା ଜିଲ୍ଲାପାଇଁ ଏକ ଗୌରବର କଥା । ୫ଟିରେ ସାମିଲ ହେବାପରେ ଉକ୍ତ ଶିକ୍ଷାନୁଷ୍ଠାନକୁ ପୂର୍ଣ୍ଣାଙ୍ଗ ସରକାରୀ ସୁବିଧା ମିଳିବା ସହ ଏହାକୁ ଏକ ମଡେଲସ୍କୁଲ ଭାବେ ଗଢିତୋଳା ଯିବ । ରାଜ୍ୟର ବିଭିନ୍ନ ବେସରକାରୀ ସ୍କୁଲ ଭଳି ଏହି ସ୍କୁଲର ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟାଧୁନିକ ଶ୍ରେଣୀଗୃହ, ଖେଳପଡିଆ, ପାଠାଗାର, ଲ୍ୟାବ୍‍, ଅନ୍ତବାସୀଙ୍କ ସକାଶେ ହଷ୍ଟେଲ ଓ ଯୋଗକେନ୍ଦ୍ର ଭଳି ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ରହିବ ବୋଲି କହିଥିଲେ । ଏହି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଆର୍କୀଟେକ୍‍ଙ୍କ ଦ୍ୱାରା ପ୍ରସ୍ତୁତ ନକ୍ସା ଅନୁଯାଇ ନିର୍ମାଣ କରାଯିବ । ମଡେଲ ସ୍କୁଲ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କମିଟି ସଦସ୍ୟ, ମୋସ୍କୁଲ କମଟି ସଦସ୍ୟ, ବୁଦ୍ଧିଜୀବି, ଲୋକ ପ୍ରତିନିଧିଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ୟ୍ୟକ୍ରମ ସଂପାଦିତ ହୋଇପାରିବ ବୋଲି କହିଥିଲେ । ଏହା ସହିତ ସ୍କୁଲରେ ଭଲ ଶିକ୍ଷକ ନିଯୁକ୍ତି ଦେବା ସହିତ ଶିକ୍ଷାଦାନରେ ଅବହେଳା କରୁଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ମଧ୍ୟ କହିଥିଲେ ।

Leave A Reply

Your email address will not be published.