jayashree

ଗୌଡଗୋଠର ୪ ଅଙ୍ଗନୱାଡି କେନ୍ଦ୍ରରୁ ୨କେନ୍ଦ୍ରର ନାହିଁ ନିଜସ୍ଵ ଜାଗା, କୋଠରୀ : ୩ଟି କେନ୍ଦ୍ରର ୯୦ଜଣ ଶିଶୁ ପଢୁଛନ୍ତି ଗୋଟିଏ କେନ୍ଦ୍ରରେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ଗାଁର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଗାଁରେ ‘କ’, ‘ଖ’, ‘ଗ’, ‘ଘ’ ଭାବେ ୪ଟି ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏହା ପରେ ଆଉ ୨ଟି କେନ୍ଦ୍ର ନିର୍ମାଣ ପାଇଁ ସରକାର ପକ୍ଷରୁ ବିଚାରାଧୀନରେ ଅଛି । କିନ୍ତୁ ‘ଖ’ ଓ ‘ଗ’ କେନ୍ଦ୍ରର ନିଜସ୍ଵ କୋଠା ଥିବା ବେଳେ ‘କ’ କେନ୍ଦ୍ରର ପୁରୁଣା କୋଠାକୁ ସରକାର ମୃତ ଘୋଷଣା କରିଥିଲେ । କିନ୍ତୁ ୮ବର୍ଷ ପୂର୍ବରୁ ସେଠାର ବ୍ୟବହାର ଯୋଗ୍ୟ ସାମଗ୍ରୀକୁ ଗାଁ କମିଟି ବିନା ଅନୁମତିରେ ୧୦ହଜାର ଟଙ୍କାରେ ନିଲାମ କରି ଭାଙ୍ଗି ଦେଇଥିଲା । ଏଥିପାଇଁ ତାଙ୍କ ମଞ୍ଜୁର ମଧ୍ୟ ହୋଇସାରିଛି । ହେଲେ ସେହି ଜାଗାକୁ ଜଣେ ଅସାଧୁ ବ୍ୟକ୍ତି ଜବରଦଖଲ କରି ସେଠାରେ ଇଟା, ଛପରରେ କୋଡ଼ିଆ ତିଆରି କରିଥିବାରୁ ‘କ’ କେନ୍ଦ୍ର କୋଠା ନିର୍ମାଣକାର୍ୟ୍ୟ ବ୍ୟାହତ ହୋଇଛି । ଏନେଇ ଗାଁ କମିଟି ଠାରୁ ଆରମ୍ଭ କରି ସରପଞ୍ଚ, ବ୍ଲକ୍ ପ୍ରଶାସନ, ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ୫-ଟି ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେହିଭଳି ‘ଘ’ କେନ୍ଦ୍ରର ନିଜସ୍ଵ ଜାଗା ନ ଥିବାରୁ କୋଠା ନିର୍ମାଣ ହୋଇପାରିନାହିଁ । ଫଳରେ ଉକ୍ତ କେନ୍ଦ୍ରରେ ଅଧ୍ୟୟନରତ ଶିଶୁମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ବର୍ତମାନ ଗୌଡଗୋଠ ‘କ’ କେନ୍ଦ୍ରରେ ୩୫ଜଣ ଶିଶୁ, ‘ଖ’ରେ ୨୫, ଓ ‘ଘ’ କେନ୍ଦ୍ରରେ ୩୦ଜଣ ଶିଶୁଙ୍କୁ ଅଙ୍ଗନୱାଡି କର୍ମୀ ବାଧ୍ୟ ହୋଇ ଗୋଟିଏ ଶ୍ରେଣୀରେ ପଢ଼ାଉଛନ୍ତି । ଏହାସହ ଅଙ୍ଗନୱାଡି ଶିଶୁମାନଙ୍କୁ ଏକକାଳୀନ ‘ଭି’ କଟର ନାଲି ରଙ୍ଗର ସ୍ୱେଟର, କଲା ରଙ୍ଗର ହଲେ ଜୋତା ଏବଂ ନାଲି ରଙ୍ଗର ମୋଜା ଦେବାକୁ ଘୋଷଣା କରାଯାଇଥିବା ବେଳେ ଦେଓଗାଁ ବ୍ଲକରେ କେବଳ ସ୍ୱେଟର ଦେଇଛନ୍ତି । ଏନେଇ ଗୌଡଗୋଠର କିଛି ଲୋକେ ବିଡ଼ିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.