ବନ୍ୟଜନ୍ତୁଙ୍କ ସୁରକ୍ଷିତ ଅଭୟାରଣ୍ୟ ପାଲଟିଛି ଶିକାରୀଙ୍କ ଚରାଭୂଇଁ

  • ପେଟ୍ରୋଲିଂ ଷ୍ଟାଫଙ୍କୁ ଦେଖି ବାରହାକୁ ଫିଙ୍ଗି ଚମ୍ପଟ ମାରିଲେ ବାଣୁଆଁ

ବୌଦ୍ଧ, (ବଂଶୀଧର ମାଝୀ) : ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଡିଭିଜନର ବୌଦ୍ଧ ଜିଲ୍ଲା ସୀମାନ୍ତରେ ଥିବା କୁଶଙ୍ଗ ରେଞ୍ଜର ମହାଲ୍ଲିକପଡା ପଞ୍ଚାୟତ ନୂଆପଡା ନିକଟରେ ଗତକାଲି ରାତି ବାରହା ଶିକାର କରି ନେଉଥିବା ଏକ ଶିକାରୀ ଦଳ ହଠାତ ନାଇଟ ପେଟ୍ରୋଲିଂ ଦଳକୁ ଦେଖି ବାରହାକୁ ଫିଙ୍ଗି ଦେଇ ମୋଟର ସାଇକେଲରେ ଚମ୍ପଟ ମାରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ରେଞ୍ଜ ଅଧିକାରୀ ପ୍ରଦୀପ ଭୁତିଆଙ୍କୁ ପଚାରାଯିବାରୁ ଏହାକୁ ସ୍ୱୀକାର କରିବା ସହ ସେହି ଅଞ୍ଚଳରେ ରାସ୍ତାଘାଟ ଭଲ ନଥିବା ହେତୁ ସେମାନଙ୍କ ବାଇକକୁ ପିଛା କରି ଧରିବା ସମ୍ଭବପର ହୋଇନଥିଲା ବୋଲି କହିଥିଲେ । ଗୋଟିଏ ପଟେ ଚଳିତ ଗ୍ରୀଷ୍ମ ଋତୁରେ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଗୁଡିକରେ ନିଆଁ ଲାଗି ପ୍ରାଣୀ ସୁରକ୍ଷା ବିପନ୍ନ ହୋଇପଡିଥିବା ବେଳେ ଅନ୍ୟପଟେ ଏହାର ସୁଯୋଗ ନେଇ ରାତିରେ ଶିକାରୀ ମାନେ ଅବାଧରେ ବନ୍ୟଜନ୍ତୁ ଶିକାର କରୁଥିବାରୁ ବନ୍ୟପ୍ରାଣୀଙ୍କ ଅଭୟାରଣ୍ୟର ସେଂଚୁରି କୋର୍‌ ଏରିଆ ଏବେ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ।କୁଶଙ୍ଗ ରେଞ୍ଜ ଅଧିକାରୀଙ୍କ ଦ୍ଵାରା ବୁଧବାର ରାତି ଜବତ ହୋଇଥିବା ବାରହାକୁ ଗୁରୁବାର ଦିନ୧୨ଟା ସମୟରେ ହରଭଙ୍ଗା ବ୍ଲକଭାରପ୍ରାପ୍ତ ପ୍ରାଣୀଧନ ଚିକିତ୍ସକ ଡଃ ରୁଥ ଡୁଙ୍ଗଡୁଙ୍ଗ, ପୁରୁଣାକଟକ ପ୍ରାଣୀଧନ ନିରୀକ୍ଷକ ନାରାୟଣ ବାରିକ ଏବଂ ତଳଗାଁ ପ୍ରାଣୀଧନ ନିରୀକ୍ଷକ ନୟନା ବେହେରାଙ୍କୁ ନେଇ ଏକ ୩ ଜଣିଆ ଟିମ୍‌ ବ୍ୟବଛେଦ କରିଥିଲେ । ବାରହାଟିକୁ ଫାଶରେ ପକାଇ ତାର ମୁଣ୍ଡ ଓ କାନମୂଳିରେ ଫେସା ମାରି ତାକୁ ହତ୍ୟା କରାଯାଇଥିବା ଜଣାପଡିଛି । ପରେ ଉକ୍ତ ବାରହାଟିକୁ ସମସଙ୍କ ଉପସ୍ଥିତିରେ ମାଟିରେ ଏକ ଗାତ ଖୋଳି ଫିନାଇଲ ଓ ଲୁଣ ଦେଇ ମୃତ ପୋତି ଦିଆଯାଇଥିଲା । ତେବେ ଏହି ଘଟଣାରେ ସଂପୃକ୍ତ ଶିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ନଚେତ ଅବାଧ ପଶୁ ଶିକାର ବୃଦ୍ଧି ପାଇବା ସହ ବହୁ ବନ୍ୟପ୍ରାଣୀ ସୁରକ୍ଷା ଅଧିକ ବିପନ୍ନ ହେବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.