ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ଉପରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ବିରୋଧ ତଥା ସଶକ୍ତିକରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ବଲାଙ୍ଗିର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୁଲାପ ବାଗ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଓ କହିଥିଲେ ଯେ, ସମାଜରୁ କୌଣସି ପ୍ରକାରର କୁପ୍ରଥାକୁ ବିଲୋପ କରିବାକୁ ହେଲେ ସମାଜକୁ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ଆଗେଇ ଆସି କାମ କରିବାକୁ ପଡିବ ଓ ଏହା ଦ୍ୱାରା ଜନ ସାମାଜର ଅଶେଷ ମଙ୍ଗଳ ସାଧିତ ହେବ । ଅନ୍ୟମାନଙ୍କ ମଧ୍ୟରେ ବିଡିଓ ରାମଦତ୍ତ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ସରକାର ଯେଉଁ ସବୁ ଯୋଜନା ଓ ବ୍ୟବସ୍ଥା ଶିଶୁମାନଙ୍କ ପାଇଁ କରିଛନ୍ତି ତାହାର ଭରପୁର ସୁଯୋଗ ପିତାମାତା ତଥା ଅଭିଭାବକ ନେଇ ଶିଶୁମାନଙ୍କୁ ଭବିଷ୍ୟତର ସୁନାଗିକ ଭାବେ ଗଢି ଗୋଳିବାର ସଂକଳ୍ପ ନେବା ଉଚିତ । କର୍ମଶାଳାରେ ପ୍ରଶିକ୍ଷକ ଭାବେ ଶିଶୁ ମଙ୍ଗଳ ସମିତି, ବଲାଙ୍ଗିରର ସଦସ୍ୟା ଉପସ୍ଥିତ ବଲାଙ୍ଗିର ବ୍ଲକର ସମସ୍ତ ସରପଞ୍ଚ, କାର୍ୟ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନଙ୍କୁ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା, ଶିଶୁ ମଙ୍ଗଳ ସମିତିର କାର୍ୟ୍ୟଧାରା, ପ୍ରତିପାଳକ ଯତ୍ନ ଓ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଆଇନଗତ ଦିଗ ତଥା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଗୁରୁ ଦାୟିତ୍ୱ ଓ କର୍ତ୍ତବ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟତମ ପ୍ରଶିକ୍ଷକ ତଥା ଶିଶୁ ମଙ୍ଗଳ ସମିତି ସଦସ୍ୟ ନନ୍ଦିକିଶୋର ସାମଲ କହିଥିଲେ ଯେ, ଶିଶୁମାନଙ୍କ ଆବଶ୍ୟକତାକୁ ଆମେ ସଂପୂର୍ଣ୍ଣ ଗୁରୁତ୍ୱ ଦେଇ କାର୍ୟ୍ୟ କଲେ ତାଙ୍କର ସର୍ବବିଧ ଉନ୍ନତି ନିଶ୍ଚୟ ସାଧିତ ହେବ । ପରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଦାମୋଦର ଦାଶ କହିଥିଲେ ଯେ, ଆମେ ଯତ୍‌ପରୋନାସ୍ତି ଦେଶର ତୃଣମୂଳ ସ୍ତର ଯାହାକି ପଞ୍ଚାୟତ ସ୍ତରରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛୁ ଓ ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି ଓ କର୍ମଚାରୀ ଗଣ ଆଗକୁ ଶିଶୁ ସୁରକ୍ଷା ସଂପର୍କିୟ ତ୍ରୟମାସିକ ବୈଠକରେ ଆଲୋଚନା ଓ ନିଷ୍ପତ୍ତି ନେଇ ପଦକ୍ଷେପ ନେବେ । ପରେ ଲକ୍ଷ୍ମୀ ସିଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଥିଲେ ଯେ, ଏହି କାର୍ୟ୍ୟକ୍ରମକୁ ବ୍ୟାପକ ଜନ ସଚେତନତା, ସଭା, କର୍ମଶାଳା ମାଧ୍ୟମରେ ଆମେ ପିତାମାତା ନ ଥିବା ଶିଶୁ, ପରିତ୍ୟକ୍ତ ଶିଶୁ, ଅସହାୟ ଶିଶୁମାନଙ୍କୁ ଯୋଜନାରୁ ପୃଷ୍ଟପୋଷକତା ସହାୟତା, ସୁକନ୍ୟା- ସମୃଦ୍ଧି ଯୋଜନା, ବିଜୁ ଶିଶୁ ସୁରକ୍ଷା ଯୋଜନା, ଶିଶୁମାନଙ୍କୁ ବିକଳ୍ପ ଯତ୍ନର ବ୍ୟବସ୍ଥା ନିଶ୍ଚିତ ହିସାବରେ ସୁନିଶ୍ଚିତ କରାଯିବ । ଶେଷରେ ସିଡିପିଓ ବଲାଙ୍ଗିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ, ବ୍ଲକ ଅଧ୍ୟକ୍ଷ, ବିଡିଓ, ଜିପିଇଓ, ସିଡିପିଓ ଏବଂ ସମସ୍ତ ସରପଞ୍ଚମାନଙ୍କୁ ପଞ୍ଚାୟତ କାର୍ୟ୍ୟାଳୟରେ ଓ ପ୍ରତ୍ୟେକ ଗ୍ରାମର ଅନ୍ତତଃ ଗୋଟିଏ ଅଙ୍ଗନୱାଡି କେନ୍ଦ୍ରରେ ‘ଝିଅକୁ ୧୮ ଓ ପୁଅକୁ ୨୧ ହେଲେ ବିବାହ କରାଇବା, ଅନ୍ୟଥା ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବା’ କାନ୍ଥରେ ଲେଖାଇବା ବ୍ୟବସ୍ଥା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.