ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଏନଏଚ ଉପରେ ୨ ବାଇକ ମୁହାଁମୁହିଁ : ୨ ପୋଷ୍ଟ ମାଷ୍ଟର ବନ୍ଧୁଙ୍କ ଶୋଚନୀୟ ମୃତ୍ୟୁ, ୧ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

ବୌଦ୍ଧ, (ବଂଶୀଧର ମାଝୀ) : ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରା‌ହ୍ନ ପ୍ରାୟ ୨ ଘଣ୍ଟା ବେଳେ ଆଡେନିଗଡ଼ରେ ଏକ ବାହାଘର ଭୋଜିରେ ଯୋଗଦେଇ ଗୋଟିଏ ବାଇକରେ ବାରିଙ୍ଗର ବ୍ରାଂଚ ପୋଷ୍ଟମାଷ୍ଟର ବିଶ୍ଵନାଥ ସାହୁ ଓ ମାଧପୁରର ବ୍ରାଂଚ ପୋଷ୍ଟ ମାଷ୍ଟର ବିରଞ୍ଚି ସାହୁ ମାଧପୁର ଫେରୁଥିଲେ । ଏହି ସମୟରେ ମାଧପୁର ପଟୁ ଆଡେନିଗଡ଼ ଆଡକୁ ଆସୁଥିବା ଏକ ପଲସର ବାଇକ ସହ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବ୍ରାଂଚ ପୋଷ୍ଟମାଷ୍ଟର ବିଶ୍ଵନାଥ ସାହୁ ଓ ମାଧପୁରର ବ୍ରାଂଚ ପୋଷ୍ଟ ମାଷ୍ଟର ବିରଞ୍ଚି ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପଲସର ବାଇକ ଆରୋହୀ ଜଣକ ଗୁରୁତର ଆହତ ବସ୍ଥାରେ ଉଦ୍ଧାର ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେ କଥାବାର୍ତ୍ତା କରିବାକୁ ସକ୍ଷମ ନଥିବାରୁ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ । ଅପର ପକ୍ଷରେ ମୃତକଙ୍କ ପରିବାରଙ୍କୁ ଆର୍ଥିକକ୍ଷତି ପୂରଣ ଯୋଗାଇ ଦେବା ଦାବୀରେ ସ୍ଥାନୀୟ ଲୋକେ ୫୭ନଂ ଜାତୀୟ ରାଜପଥକୁ ଦୀର୍ଘ ୪ଘଣ୍ଟା ଧରି ଅବରୋଧ କରିଥିଲେ ।ଆଡେନିଗଡ ଫାଣ୍ଡି ଓ ପୁରୁଣାକଟକ ଥାନା ପୋଲିସ ଉପସ୍ଥିତିରେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଏବଂ ବିଡିଓ ନୀଳକଣ୍ଠ ବେହେରା ରାସ୍ତା ଅବରୋଧ କାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.