ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ହେଡ୍‌ କ୍ୱାର୍ଟରରେ ଗୋଟିଏ କିମ୍ବା ଆବଶ୍ୟକ ମୁତାବକ ତା’ର ନିକଟତମ ଗୁରୁତ୍ୱପୂର୍ଣ୍ଣ ସହରରେ ଆଉ ଗୋଟିଏ ଅର୍ଥାତ ସେହି ଜିଲ୍ଲାରେ ଦୁଇଟି ଜିଲ୍ଲା ହସ୍ପିଟାଲ ପ୍ରତିଷ୍ଠିତ ହୋଇଥିବା ବେଳେ ବୃହତ୍ତର ଗଞ୍ଜାମ ଜିଲ୍ଲାରେ ଦୁଇଟି ଜିଲ୍ଲା ହସ୍ପିଟାଲର ଆବଶ୍ୟକତା ରହିଛି । ଏନେଇ ଛତ୍ରପୁର ସ୍ଥିତ ଜିଲ୍ଲା ମହକୁମାସ୍ଥ ସବ- ଡିଭିଜନ ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦେବା ନିମନ୍ତେ ବିଭିନ୍ନ ମହଲରେ ବହୁ ବାର, ବହୁ ବର୍ଷ ହେଲା ଦୃଢ଼ ଭାବେ ଦାବୀ ହୋଇ ଆସିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଘୋର ଉଦ୍‌ବେଗର ବିଷୟ ହୋଇଛି । ପ୍ରକାଶ ପ୍ରକାଶ ଥାଉକି, ଜିଲ୍ଲାରେ କେବଳ ବ୍ରହ୍ମପୁର ଠାରେ ଜିଲ୍ଲା ହସ୍ପିଟାଲ ଏବଂ ବଡ଼ମେଡିକାଲ(ଏମ୍.କେ.ସି. ଜି.) ଅବସ୍ଥାପିତ ଥିବା ବେଳେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏକ ସର୍ବପୂରାତନ ଜିଲ୍ଲା ହେଡ କ୍ୱାର୍ଟର ହୋଇ ମଧ୍ୟ ଏଠାରେ ଆଉ ଏକ ଜିଲ୍ଲା ହସ୍ପିଟାଲ ଆବଶ୍ୟକ ରହିଛି । ବ୍ରିଟୀଶ ଶାସନ ଅମଳରୁ ଛତ୍ରପୁର ଠାରେ ହେଡକ୍ଵାଟର ପ୍ରତିଷ୍ଠିତ ହୋଇଅଛି । ଗଞ୍ଜାମଜିଲ୍ଲା ଓଡ଼ିଶାର ବୃହତ୍ତମ ଜିଲ୍ଲା ଭାବେ ପରିଚିତ, ଯାହା ଛତ୍ରପୁର ହେଉଛି ଗଞ୍ଜାମ ଜିଲ୍ଲାର ମୁଖ୍ୟକାର୍ୟ୍ୟାଳୟ ଅଟେ । କିନ୍ତୁ ଏହା ସଦର ମହକୁମା ହୋଇ ଏଠାରେ ଅବସ୍ଥାପିତ ଥିବା ହସ୍ପିଟାଲ ଟି ପୂର୍ବରୁ ଉପଖଣ୍ଡ ହସ୍ପିଟାଲ ଭାବେ ଏହା ନାମିତ ଓ ପ୍ରତିଷ୍ଠିତ ହୋଇଅଛି । ଏହି ହସ୍ପିଟାଲରେ ଆଜକୁ ୧୨ ମାସ ହେଲା ଅଶୁ ଚିକିତ୍ସା ସେବା ବ୍ୟବସ୍ଥାବନ୍ଦ ରହିଛି । ଗତ ୨୦୨୦ ମାର୍ଚ୍ଚ ୧୬ ତାରିଖ ସନ୍ଧ୍ୟା ଠାରୁ ଅଦ୍ୟାବଧି କୋଭିଡ଼ କଟକଣା ଜାରୀ କରାଯାଇ ସର୍ଵସାଧାରଣଙ୍କ ସ୍ୱାଭାବିକ ଚିକିତ୍ସା ସେବା ବନ୍ଦ କରିଦିଆଯାଇଛି । ଆଜି ସୁଦ୍ଧା ଯାହାକି ମାତ୍ର ଡେ- ଡିଉଟି ରେ ଏବଂ ରାତ୍ରି- ଡିଉଟି ରେ କେବଳ ଜଣେ ଡାକ୍ତର ଙ୍କ ଉପସ୍ଥାପନରେ ଚିକିତ୍ସା ସେବା ଦିଆଯାଉଛି । ଫଳରେ ଏଠାରେ ରୋଗୀ ସେବା ବିପର୍ୟ୍ୟସ୍ତ ଘଟିଛି । ଅନେକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଯେହେତୁ ଏହା ଜିଲ୍ଲାର ହେଡକ୍ବାଟର ତାହା ସାଂଗକୁ ବର୍ତ୍ତମାନ ର ଜନସଂଖ୍ୟା ତୁଳନାରେ ଛତ୍ରପୁର ସହର ରେ ଜନଗହଳି ବୃଦ୍ଧି ପାଉଛି । ଏହି ସହର ସହ ଯୋଗାଯୋଗ / ସମ୍ପର୍କରେ ଆସୁଥିବା ତଥା ନିର୍ଭରଶୀଳ ହୋଇ ଆସୁଥିବା ଛତ୍ରପୁର ର ଆଖ ପାଖ ବିଭିନ୍ନ ଅଞ୍ଚଳର ଜନ ସାଧାରଣ ଏହି ଛତ୍ରପୁର ଏସ. ଡ଼ି. ହସ୍ପିଟାଲ ଉପରେ ନିର୍ଭର କରି ଆସୁଛନ୍ତି । ତେଣୁ ଏହାକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦେବା ନିମନ୍ତେ ଦୀର୍ଘ ୨୦ ବର୍ଷ ହେଲା ବହୁବାର ଦାବୀ ହୋଇଆସୁଅଛି । ଏବେ ବି ନିକଟରେ ଏ ସମ୍ପର୍କରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବହୁ ବାର ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଙ୍କୁ ସହର ତରଫରୁ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ରାଜନୈତିକ ଦଳ ପକ୍ଷରୁ ବହୁବାର ଦାବୀ ହୋଇଆସୁଛି, ହେଲେ ରାଜ୍ୟସରକାର ଛତ୍ରପୁର ପ୍ରତି ବୈମାତୃକଭାବ ପ୍ରଦର୍ଶନ କରି ଆସିଛନ୍ତି । ଓକିଲ ସଂଘର ପକ୍ଷରୁ ପ୍ରତିନିଧିଭାବେ ବାର ସଭାପତି ଆଡଭୋକଟେ ପ୍ରଦୀପ କୁମାର ପାଢୀ ଜିଲ୍ଲାପାଳଙ୍କୁ ଭେଟି କହିଛନ୍ତି ଯେ, ଛତ୍ରପୁର ହସ୍ପିଟାଲ ଉପରେ ଛତ୍ରପୁର ସହରାଞ୍ଚଳ ଓ ଏହାର ପାଖାପାଖି ଗ୍ରାମାଞ୍ଚଳ, ଗଞ୍ଜାମ ସହର, ଗଞ୍ଜାମ ବ୍ଲକ, ହୁମ୍ମା, ପାଲୁରୁ ଛକ, ପାଲୁରୁଗଡ଼ ଠାରୁ ଶେଷ ସୀମା ପ୍ରୟାଗୀ ଏବଂ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଅଞ୍ଚଳ ସହ ପାରିକୁଦ ଓ ମାଲୁଦ, ରମ୍ଭା, ଖଲିକୋଟ, ଚିଲ୍ଲିକା ଅଞ୍ଚଳ ପର୍ୟନ୍ତ ବହୁରୋଗୀ ଏହି ଛତ୍ରପୁର ହସ୍ପିଟାଲକୁ ଆସିଥାନ୍ତି । ଛତ୍ରପୁର ସହର ଦେଇ ୧୬ ନମ୍ବର ଜାତୀୟ ରାଜପଥ, ରାଜ୍ୟରାଜପଥ, ସମୂଦ୍ରକୂଳ, ବନ୍ଦର ଆଦି ଯାଇଥିବା ବେଳେ ଏହିସମସ୍ତ ଅଞ୍ଚଳର ବନ୍ୟା, ବିପତ୍ତି, ଅଗ୍ନିକାଣ୍ଡ, ସଡକ ଦୁର୍ଘଟଣା, ଅନ୍ୟାନ୍ୟ ଅଘଟଣ ସଂକ୍ରାନ୍ତୀୟ ଆଦି ଘଟଣାରେ ଘଟୁଥିବା ଗୁରୁତର ଆହତ ବ୍ୟକ୍ତିଙ୍କୁ ଏଠାକୁ ବହୁ ସଂଖ୍ୟାରେ ଆଡ଼ମିଟ ହୋଇଥାଆନ୍ତି । ଯଦି ଏହାକୁ ବାଦ କରି ଏଠାରୁ ସିଧାସଳଖ ବ୍ରହ୍ମପୁର ନିଆଯାଏ ତେବେ ଅନେକ ରୋଗୀ ମୃତ୍ୟୁ ବରଣକରିଥାନ୍ତି । ତେଣୁ ଛତ୍ରପୁର ଅଞ୍ଚଳ ସହ ଅନ୍ୟ ସମସ୍ତ ପରିବ୍ୟାପ୍ତ ଅଞ୍ଚଳର ଲୋକମାନେ ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ ଅଟନ୍ତି । ଏହି ହସ୍ପିଟାଲରେ ଆବଶ୍ୟକ ସଂଖ୍ୟରେ ଡାକ୍ତରୀ ପଦବୀ ଯଥା – ଅର୍ଥପେଡିକ, ଆନେସ୍ତେସିଆ, ହୃଦରୋଗୀ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଚର୍ମ ରୋଗ ବିଶେଷଜ୍ଞ, ଇଏନ୍‌ଟି ବିଭାଗ ଏବଂ ଆବଶ୍ୟକ ସଂଖ୍ୟାରେ ଷ୍ଟାଫନର୍ସ, ଫାର୍ମାସିଷ୍ଟ, ଏବଂ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା ଜରୁରୀ ହୋଇପଡିଛି । ଏଥିସହ ଛତ୍ରପୁର ସବଡିଭିଜନାଲ ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ଦେବା ନିମନ୍ତେ ଜନସାଧାରଣଙ୍କ ତରଫରୁ ଆଡ୍‌ଭୋକେଟ ପ୍ରଦୀପ ପାଢ଼ୀ ଦାବୀ କରିଛନ୍ତି । ସର୍ବୋପରି ଆଡ୍‌ଭୋକଟେ ଶ୍ରୀ ପାଢୀ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରିଥିଲେ ସୁଦ୍ଧା କୌଣସି କାର୍ୟ୍ୟକାରୀ ହୋଇନାହିଁ । ଦାବୀ ପୂରଣ ନ ହେଲେ ଜନ ଆନ୍ଦୋଳନ କରାଯିବ ବୋଲି ଏକ ବିବୃତିରେ କୁହାଯାଇଛି ।

Leave A Reply

Your email address will not be published.