ସଂସଦରେ ଦାବୀ କଲେ ବଲାଙ୍ଗିର ସାଂସଦ : ସତେ ରହିବ କି ଦେଓଗାଁରେ ଏକ୍ସପ୍ରେସ ଟ୍ରେନ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଲଷ୍ଟେସନରେ ଦୃତଗାମୀ ଟ୍ରେନ ଇଷ୍ପାତ ଓ ପୁରୀ ଦୁର୍ଗ ଅଟକାଇବା ନେଇ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଆଜି ଲୋକସଭାରେ ଦାବୀ କରିଥିବା ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ କେବଳ ଦେଓଗାଁ ନୁହେଁ ବଲାଙ୍ଗିର ଜିଳ୍ଲାର ବିଭିନ୍ନ ସ୍ଥାନରେ ଏକ୍ସପ୍ରେସ ଟ୍ରେନ ରହିବା ସହ ବିଭିନ୍ନ ଟ୍ରେନର ସମୟ ପରିବର୍ତ୍ତନ ପାଇଁ ମଧ୍ୟ ଦାବୀ କରିଛନ୍ତି । ଦେଓଗାଁ ରେଲ ଷ୍ଟେସନରେ ଟ୍ରେନ ରହଣୀ ଦାବି କରିବା ପରେ ବାରମ୍ବାର ରେଲ ବିଭାଗ ଦେଓଗାଁ ବାସୀଙ୍କୁ ପ୍ରତାରଣ କରିଥିବାରୁ ସାଂସଦଙ୍କ ଦାବୀ କେତେ ଦୂର ପୂରଣ ହୋଇ ପାରିବ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ, ଗତ ୩/୮/୧୮ରେ ଦେଓଗାଁ ସହ ଗୁଡ଼ଭେଲା ଓ ସଇଁନ୍ତଲାର ହଜାର ହଜାର ଜନସାଧାରଣ ଦେଓଗାଁ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ ନେଇ ଦୀର୍ଘ ସମୟ ରାସ୍ତା ରୋକ କରିଥିଲେ । ସେହି ଦିନ ୧ଟା ପରେ ରେଳ ବିଭାଗ ପକ୍ଷରୁ ଏଡିଇଏନ ବା ଅତିରିକ୍ତ ଆଞ୍ଚଳିକ ଯନ୍ତ୍ରୀ ଆସି ମାତ୍ର ୭ ଦିନ ଭିତରେ ୧୮୩୦୧/ ୧୮୩୦୨ ତପସ୍ୱିନୀ ଏକ୍ସପ୍ରେସ ରହିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଅନ୍ୟତ୍ତମ ଦାବୀ ପୁରୀ ଦୁର୍ଗ ଏକ୍ସପ୍ରେସ ରହଣି ପାଇଁ ଡିଆରଏମ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଜଣାଇବେ ବୋଲି କହିବାରୁ ଆନ୍ଦୋଳନ ବନ୍ଦ ହୋଇଥିଲା । ସାତ ଦିନ ତ ସେପଟେ ଥାଉ ଦୀର୍ଘ ୧୮୦ ଦିନ ପରେ ମଧ୍ୟ ସେହି ପ୍ରତିଶୃତି ରେଳ ବିଭାଗର ମନେ ନ ପଡ଼ିବାରୁ ପୁଣି ୧୭/୨/୧୯ରୁ ୧୯ ପର୍ୟ୍ୟନ୍ତ ଷ୍ଟେସନ ସମ୍ମୁଖରେ ଧାରଣା ଦେବା ପରେ ୨୦ ତାରିଖ ଦିନ ରେଲ ରୋକ ହୋଇଥିଲା । ପୂର୍ବ ପରି ସେହିଦିନ ଦେଓଗାଁ, ଗୁଡ଼ଭେଲା ଓ ସଇଁନ୍ତଳା ଅଞ୍ଚଳରୁ ଶତାଧିକ ବରିଷ୍ଠ ନାଗରିକ ଓ ବୁଦ୍ଦିଜୀବୀ ସାମିଲ ହୋଇ ଏକ୍ସପ୍ରେସ ଟ୍ରେନ ନ ରହିବା ପର୍ୟ୍ୟନ୍ତ ରାସ୍ତା ରୋକ ଆନ୍ଦୋଳନ ବନ୍ଦ କରାଯିବ ନାହିଁ ବୋଲି ଜିଦ ଧରିଥିଲେ । ପୂର୍ବଥର ପରି ସେହିଦିନ ମଧ୍ୟ ଏସିଏମ ଅର୍ଥାତ ଅତିରିକ୍ତ ବାଣିଜ୍ୟ ପରିଚାଳକ ଶ୍ରୀଯୁକ୍ତ ସରକାର, ଓ ବାଣିଜ୍ୟ ନିରୀକ୍ଷକ ମାର୍ଥା ଆସି ପୁଣି ୭ ଦିନ ମଧ୍ୟରେ ଏକ୍ସପ୍ରେସ ରହିବ ବୋଲି ପ୍ରତିଶୃତି ଦେଇ ଯାଇଥିଲେ ମଧ୍ୟ ଗାଡ଼ି ରହିବା ବିଷୟରେ ରେଳ ବିଭାଗର କୌଣସି ସୂଚନା ନାହିଁ ।

Leave A Reply

Your email address will not be published.