ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ବି‌ଶ୍ୱ ବନ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ପକ୍ଷରୁ ଆଜି ବି‌ଶ୍ୱ ବନ ଦିବସ ପାଳିତ ହୋଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ମୁଖ୍ୟ କାର୍ୟ୍ୟାଳୟ ସମେତ ଜିଲ୍ଲାର ୪ଟି ବନାଂଚଳ ରେଂଜ୍‌ରେ ଜଂଗଲ ସୁରକ୍ଷା ସହ ବନୀକରଣ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ବିଭିନ୍ନ ଜନ ସଚେତନତା କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହୋଇଛି ।
ଜିଲ୍ଲାର ଉଲୁଣ୍ଡା, ବୀରମହାରାଜପୁର, ବିନିକା ଓ ସୁବର୍ଣ୍ଣପୁର ସଦର ରେଂଜ୍‌ର ସଂରକ୍ଷିତ ଜଂଗଲ ପାର୍ଶ୍ବବର୍ତ୍ତି ଗାଁଲୋକଙ୍କୁ ଜଂଗଲ ସୁରକ୍ଷା ବାର୍ତ୍ତାରେ ଅଧିକ ସଚେତନ ଓ ଭାଗୀଦାର ରଖିବାକୁ ରାଲି ଓ ଗୋଷ୍ଠୀସଭା ସବୁ ଆୟୋଜିତ ହୋଇଛି । ଜିଲ୍ଲା ବନଖଣ୍ଡ କାର୍ୟ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଶାନ୍ତ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନ ଦିବସ ସଚେତନତା କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ଯୋଗଦେଇ ଜଂଗଲ ସୁରକ୍ଷା ଜୀବ ଜଗତ ପାଇଁ ଅପରିହାର୍ୟ୍ୟ ଥିବାରୁ ସମସ୍ତେ ଏଥିପ୍ରତି ଦାୟିତ୍ବବାନ ରହିବାକୁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ପକ୍ଷୀପ୍ରେମୀ ଦିନେଶ ରଂଜନ ମିଶ୍ରଙ୍କୁ “ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ପୁରସ୍କାର” ସହ ପରିବେଶ ସୁରକ୍ଷାକୁ ନେଇ ପ୍ରଶଂସନୀୟ କାର୍ୟ୍ୟ କରିଥିବା ପଣ୍ଡକିଟାଲ ବିଦ୍ୟାଳୟକୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.