୧୮ରୁ ଆମରଣ ଅନଶନରେ ବସିବ ଅଭିଭାବକ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଟିଏ ପଟେ ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି, ଅନ୍ୟ ପଟେ ଏହା ବିରୁଦ୍ଧରେ ତଥ୍ୟ ସହିତ ବାରମ୍ବାର ଅଭିଯୋଗ ସତ୍ୱେ ଜିଲ୍ଲା ପ୍ରଶାସନ ଆଖି, କାନ ବନ୍ଦ କରି ବସିଛି । ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଆଇନ ଥିବା ସତ୍ୱେ ଅଭିଭାବକମାନେ ଲୁଟର ଶିକାର ହେଉଛନ୍ତି ଏବଂ ଜିଲ୍ଲାରେ ଖୁଲମ ଖୁଲ୍ଲା ମାନ୍ୟବର ହାଇକୋର୍ଟ ଓ ଓଡିଶା ହ୍ୟୁମାନ ରାଇଟ କମିଶନର ଅବମାନନା କରାଯାଉଛି ବୋଲି ଅଭିଭାବକ ମହା ସଂଘ ଅଭିଯୋଗ କରିଛି । ମହାସଙ୍ଘ ତରଫରୁ ଏ ସଂକ୍ରାନ୍ତୀୟ ଏକ ଅଭିଯୋଗ ପତ୍ର ଜିଲ୍ଲାପାଳ ଓ ଟାଉନ ଥାନ ଅଧିକାରୀଙ୍କୁ ପ୍ରଦାନ କରାଯିବା ସହିତ ଆସନ୍ତା ୧୮ରୁ ମହାସଂଘ ଆମରଣ ଅନଶନରେ ବସିବା ନେଇ ଚେତାବନୀ ଦେଇଛି । ମହାସଙ୍ଘ ଆହୁରି କହିଛି ଯେ, କୋଭିଡ ସମୟରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଫିକୁ ନେଇ ମାନ୍ୟବର ହାଇକୋର୍ଟ ଛାତ୍ର ଅନୁପାତ ହାରରେ ଫିଜ ରିହାତି, ଟିଉସନ ଫିଜ୍‌, ଏନ୍ସିଲେରି ଫିଜ, ତଥା ରିଏଡମିଶନ ଆଦି ଫିଜ ଛାଡ ନେଇ ଏକ ନିର୍ଦ୍ଦେଶବଳୀ ଜାରି କରିଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମଧ୍ୟ ଏସଂକ୍ରାନ୍ତୀୟ ଏକ ନୋଟିସ ଜିଲ୍ଲାର ସମସ୍ତ ସ୍କୁଲକୁ ପ୍ରଦାନ କରାଯାଇଥିଲା । କିନ୍ତୁ ଆଶ୍ଚର୍ୟ୍ୟର ବିଷୟ ଯେ, ଜିଲ୍ଲାର ଅଗ୍ରଣୀ ସ୍କୁଲ ଲିଟିଲ ଫ୍ଲାୱାର ସମେତ ଅନ୍ୟାନ୍ୟ ଇଂରାଜୀ ମିଡିଅମ ସ୍କୁଲ ମାନେ ଖୋଲା ଖୋଲି ମାନ୍ୟବର ହାଇର୍କୋଟ ତଥା ସରକାରୀ ନିର୍ଦ୍ଦେକୁ ଉଲ୍ଲଘଂନ କରୁଛନ୍ତି । ଇଂରାଜୀ ମିଡିଅମ ସ୍କୁଲ ଗୁଡିକ ନିର୍ଦ୍ଦେଶାନୁସାରେ ସ୍କୁଲ ଫିଜ ଛାଡ ଅଥବା ରିହାତି କରିବା ଦୁରେ ଥାଉ ଅଭିଭାବକମାନଙ୍କ ଠାରୁ ଜୋର ଜବରଦସ୍ତ ସ୍କୁଲ ଫିଜ ଆଦାୟ କରି ବେନାମୀ ରଷିଦ ପ୍ରଦାନ କରୁଛନ୍ତି । ସେହି ରଷିଦରେ ନାଁ ସ୍କୁଲର ନାଁ ରହୁଛି ନାଁ କୌଣସି ସରକାରୀ ପଞ୍ଜିକରଣ ନମ୍ବର । ଯାହା ସଂପୁର୍ଣ୍ଣ ରୂପେ ବେଆଇନ । ସେହିପରି ସ୍କୁଲ ପରିସରରେ ପୁସ୍ତକ ବିକ୍ରୟ ଓ ଶ୍ରେଣୀ ଅନୁସାରେ ସ୍କୁଲ ବାଗ ଓଜନକୁ ନେଇ ଓଡିଶା ହ୍ୟୁମାନ ରାଇଟ କମିଶନ ମଧ୍ୟ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନାହିଁ । ବିଭିନ୍ନ ତଥ୍ୟ ସହିତ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଏ ବିଷୟରେ ଅଭିଯୋଗ କରାଗଲେ ମଧ୍ୟ କିଛି ଫଳ ମିଳୁ ନାହିଁ । ଫଳରେ ସହରର ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକ ଶୋଷଣର ଶିକାର ହେଉଛନ୍ତି । ଅଭିଭାବକ ମହାସଂଘ ଏହି ବେଆଇନ ଲୁଟ ବିରୋଧରେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଗତ ୮ ତାରିଖରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ମହାସଂଘ ତରଫରୁ ଏ ବିଷୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଶ୍ୱାସନା ସତ୍ୱେ ଉକ୍ତ ସ୍କୁଲ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅନ୍ୟ ପକ୍ଷରେ ଏହି ସ୍କୁଲ ବେଧଡକ ଭାବେ ବେଆଇନ ଫିଜ ଗ୍ରହଣ ଜାରି ରଖିଛି । ଜିଲ୍ଲା ପ୍ରଶାସନର ଅପାରଗତା ଏହି ସ୍କୁଲର ବେଆଇନ କାର୍ୟ୍ୟକଳାପକୁ ବେଶ ସୁହାଉଛି । ଏଭଳି ସ୍ଥିତିରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ କାହା ସ୍ୱାର୍ଥ୍ୟରେ ଆଖି ବନ୍ଦ କରି ବସିଛି ବୋଲି ସଙ୍ଘ ପ୍ରଶ୍ନ କରିଛି । ତେଣୁ ଲିଟିଲ ଫ୍ଲାୱାର ସ୍କୁଲର ଏଭଳି ବେଆଇନ ଲୁଟ ବିରୁଦ୍ଧରେ ଆସନ୍ତା ୧୮ରୁ ମହାସଂଘ ଆମରଣ ଅନଶନରେ ବସିବା ଛଡ଼ା ଅନ୍ୟ କିଛି ପନ୍ଥା ନାହିଁ ବୋଲି ମହାସଂଘର ରାଜ୍ୟ ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର ଓ ଜିଲ୍ଲା ଆବାହକ ଚକ୍ରପାଣି ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.