ମହିଳାଙ୍କ ପାଇଁ ଗର୍ବ ଓ ଗୌରବ ମହିଳା କ୍ରିକେଟର୍‌ ରୋସ୍‌ନାରା ପରବିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା କ୍ରିିକେଟ ୱାର୍ଲ୍ଡ କପ୍‌ ଖେଳାଳୀ ରୋସ୍‌ନାରା ପରବିନ୍‌ ମହିଳା‌ଙ୍କ ପାଇଁ ଗର୍ବ ଓ ଗୌରବ । ଆଜିର ଆ‌ନ୍ତର୍ଜାତୀୟ ମହିଳା ଦିବସରେ ତା‌ଙ୍କୁ ଅନେକ ଶୁଭେ‌ଚ୍ଛା ଜଣାଇଛି ବଲା‌ଙ୍ଗିର ମାଟି । ଆଜିର ଦିନରେ ତା‌ଙ୍କ ସଫଳତାର କିଛି କଥା ଜାଣିବା ଆସ‌ନ୍ତୁ ।

ତା‌ଙ୍କ ଖେଳ ସଂପର୍କରେ ସେ କୁହନ୍ତି, ଛୋଟ ବେଳେ ତ ମୁଁ ପ୍ରାୟ ସବୁ ଖେଳ ଖେଳୁଥିଲି । ମହିଳା କ୍ରିିକେଟ ଅଛି ବୋଲି ଜାଣି ନଥିଲି । ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳୁଥିଲୁ । ପରେ ୨୦୦୭ ମସିହାରେ ମୁଁ ଜାଣିବାକୁ ପାଇଥିଲି ଯେ, ମହିଳା‌ କ୍ରିିକେଟ ଷ୍ଟାର୍ଟ ହେଉଛି । ତାପରେ କ୍ରିିକେଟ ଖେଳିବା ଜର୍‌ନି ଆରମ୍ଭ ହୋଇଛି ମୋର। ପରିବାରରେ ମା’ ଏବଂ ବାପା ଦୁହେଁ ସପୋର୍ଟ କରୁଥିବା ବେଳେ ମା’ଙ୍କ ଠାରୁ ବାପା ବେଶି ସପୋର୍ଟ କରୁଥିଲେ । ଆମେ ଯେତେବେଳେ ପ୍ରଥମେ କ୍ରିିକେଟ ଖେଳିବା ଷ୍ଟାର୍ଟ କରିଥିଲୁ, ରାସ୍ତାରେ ସାଇକେଲରେ ଗଲା ବେଳେ ବହୁତ କମେଣ୍ଟ ଖାଇଛୁ । କିନ୍ତୁ ତାହାକୁ କେବେ ମନରେ ନନେଇ ଆଗକୁ ଚାଲିଥିଲି ମୁଁ । ପାଠ ପଢା ସହ ଦିନକୁ ଆଠରୁ ଦଶ ଘଣ୍ଟା ଖେଳରେ ସମୟ କଟୁଥିଲା । ତା ପରେ ବଲାଙ୍ଗିରରୁ ଶ୍ରୀଲଙ୍କା, ଯାହାକି ମୋପାଇଁ ଗୋଟିଏ ସ୍ୱପ୍ନ ଥିଲା । ମୁଁ କେବେ ଭାବି ବି ନଥିଲି ଯେ ମୁଁ ସିଲେକ୍ଟ ହେବି ବୋଲି । ମୁଁ ଦିନ ଦୁଇଟାରେ ଘରୁ ଗାନ୍ଧୀ ଷ୍ଟେଡିୟମକୁ ପ୍ରାକ୍‌ଟିସ୍‌ କରି ବାହାରୁଥିବା ବେଳେ ଓସିଏରୁ କଲ୍‌ ଆସିଲା ଯେ, ମୁଁ ଆଉ ମୋ ସାଙ୍ଗ ମାଧୁରୀ ମେହେଟ୍ଟା ଟପ୍‌ ୩୦ ସିଲେକସନ୍‌ ପାଇଁ ସିଲେକ୍ଟ ହେଉଛି ବୋଲି । ତା ପରେ ମୁଁ ପୁରା ଆଶ୍ଚର୍ୟ୍ୟ ହୋଇଗଲି, ଯାହାକି ବହୁତ ଖୁସି ଲାଗିଥିଲା । ଆଗରୁ ସେତେବେଳେ ଆମ ପାଖରେ ଜ୍ଞାନ ନଥିଲା । କିନ୍ତୁ ୱାର୍ଲ୍ଡ କପ୍‌ କଥା ମୋ’ ପାଇଁ ଗୋଟିଏ ବଡ ସର୍‌ପ୍ରାଇଜ୍‌ ଥିଲା ।

ରୋସ୍‌ନାରା ପରବିନ୍ କୁହନ୍ତି, ମୋର ମା’ବାପା ଏବଂ ମୋର ଗୁରୁଜନ ଯିଏ ମୋର ସବୁ ସମୟରେ ସାଥ୍‌‌ ଦିଅନ୍ତି, ସେମାନେ ମୋର ପ୍ରେରଣାର ଉତ୍‌ତ୍ସ । ତାଙ୍କ ଆଗାମୀ ସ୍ୱପ୍ନ ସଂପର୍କରେ ସେ କୁହନ୍ତି, ଇଣ୍ଡିଆ ଟିମ୍‌ରେ ଆଉ ଥରେ ଖେଳିବାର ସ୍ୱପ୍ନ ଅଛି । ତ’ ମଝିରେ ସର୍ଜରୀ ହୋଇଥିଲା ଗେମ୍‌ ଟିକେ ଡାଉନ୍‌ ହୋଇଥିଲା । କିନ୍ତୁ ଏବେ ଚେଷ୍ଟା କରୁଛି । ଆଉ ଥରେ ଭାରତ ପାଇଁ ଖେଳିବା ସୁଯୋଗ ଯଦି ମିଳିପାରେ ତେବେ ଖୁସି ହେବି ।

ଆଜିର ସମୟରେ ନାରୀର ସ୍ୱାଧୀନତା ସଂପର୍କରେ ସେ କୁହନ୍ତି, ଆଜି ନାରୀ ସ୍ୱାଧୀନତା ବିଷୟରେ ଯଦି କହିବାକୁ ଚାହିଁବି, ତେବେ ଏହା କହିବି- ବିଗତ ଦଶ ବର୍ଷ ଭିତରେ ଅନେକ ପରିବର୍ତ୍ତନ ହୋଇଛି, ଅନେକାଂଶରେ ନାରୀ ସ୍ୱାଧୀନତା ଦେଖିବାକୁ ମିଳିଛି, ଏହାକୁ ଦେଖି ମୋତେ ବହୁତ ଖୁସି ଲାଗେ । ମୁଁ ଯେତେବେଳେ ମୁଁ ଖେଳିବା ଷ୍ଟାର୍ଟ କରିଥିଲି, ସେତେବେଳେ ବହୁତ ପ୍ରକାରର କମେଣ୍ଟ ଏବଂ ଅସୁବିଧା ଆସିଥିଲା । ଏଇମାନେ କ’ଣା ଖେଳିବେ, ଏହି ମାନେ ତ ଝିଅ ଗୁଡ଼ା ଭଳି ଅନେକ କଥା ଶୁଣୁଥିଲୁ ଆମେ । କିନ୍ତୁ ବର୍ତ୍ତମାନ ଦିନରେ ସେସବୁ କଥା ଆଉ ନାହିଁ । ଏବେ ବାପା ମା’ ନିଜେ ଝିଅ ମାନଙ୍କୁ ପଡିଆକୁ ଖେଳିବା ପାଇଁ ଛାଡି ଆସୁଛନ୍ତି ।

Leave A Reply

Your email address will not be published.