
ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ପଲ୍ଲିଶ୍ରୀବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଡା. ପ୍ରମୋଦ କୁମାର ମିଶ୍ରଙ୍କ ଆବାହକତ୍ୱରେ ବ୍ରାହ୍ମଣ ସମାଜର ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଂଞ୍ଚଳରୁ ଶତାଧିକ ବ୍ରାହ୍ମଣ ଉପସ୍ଥିତ ଥିଲେ । ବିଶିଷ୍ଟ ବ୍ୟବସାୟୀ କିଶୋର ରଥ ସଭାପତିତ୍ୱ କରିଥିବା ବେଳେ ସମାଜସେବୀ ଶ୍ରୀକର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ । ସଭାରେ ବ୍ରାହ୍ମଣ ସମାଜପାଇଁ ଏକ କଲ୍ୟାଣପାଣ୍ଠିର ଆବଶ୍ୟକତା ଅଛି ବୋଲି ମତପ୍ରକାଶ ପାଇଥିଲା । ସଂସ୍ଥାର ନାମ “ବଲାଙ୍ଗିର ବ୍ରାହ୍ମଣ ସମାଜ କଲ୍ୟାଣପାଣ୍ଠି” ରଖିବାକୁ ପ୍ରଭୁଦତ୍ତ ପ୍ରଧାନ ପ୍ରସ୍ତାବ ଦେଇଥିବା ବେଳେ ରାମକୃଷ୍ଣ ତ୍ରିପାଠୀ ସମର୍ଥନ କରିଥିଲେ ଯାହାକି ସଭାରେ ଅନୁମୋଦନ କରାଯାଇଥିଲା । ବ୍ରାହ୍ମଣ ସମାଜର ବହୁଲୋକ ଦାରିଦ୍ରତା ଦେଇ ଗତି କରୁଥିବା ବେଳେ ସେମାନଙ୍କୁ ଏହି ଟ୍ରଷ୍ଟ ଦ୍ୱାରା ତାଙ୍କର ଚିକିତ୍ସା, ଝିଅ ବାହାଘର, ଶିକ୍ଷାଦିକ୍ଷା, ମୃତାହକାର୍ଯ୍ୟ, ଶୁଦ୍ଧିକ୍ରିୟା, ଅନାଥ ଶିଶୁ ଆଦିଙ୍କୁ ଦରକାର ପଡୁଥିବା ଆର୍ଥିକ ସାହାଯ୍ୟ ଦେବାପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ହିତାଧିକାରୀ ଚୟନପାଇଁ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଟ୍ରଷ୍ଟ ପଞ୍ଜିକରଣ ପାଇଁ ପରବର୍ତ୍ତି କାର୍ଯ୍ୟକ୍ରମ କରିବା ପାଇଁ ଶ୍ରୀକର ମିଶ୍ର ଓ କିଶୋର ରଥଙ୍କୁ ଅନୁରୋଧ କରାଯାଇଛି । ଆଲୋଚନାରେ ଅବସର ପ୍ରାପ୍ତ ଅଧ୍ୟାପକ ଦିଲୀପ ଦାଶ, ହରେକୃଷ୍ଣ ତ୍ରିପାଠୀ, ପ୍ରଭାକର ମିଶ୍ର, ଅଶୋକ କୁମାର ଚାନ୍ଦ, ତରୁଣ କୁମାର ମିଶ୍ର, ମଧୁସୂଦନ ନାୟକ, ସୁରେନ୍ଦ୍ର କୁମାର ତ୍ରିପାଠୀ, କିଶୋର କୁମାର ମିଶ୍ର ଅଂଶଗ୍ରହଣ କରିଥିବା ବେଳେ ବିନୟ କୁମାର ମିଶ୍ର, ନବୀନ କୁମାର ଷଡଙ୍ଗୀ, ଶ୍ରୀବତ୍ସ ମିଶ୍ର, ସୁଦର୍ଶନ ଯୋଷୀ, କପିଳେଶ୍ୱର ଖମାରୀ, ରମାକାନ୍ତ ପାଣିଗ୍ରାହୀ, ମହାବୀର ବେଦ୍ବାକ, ଭଜରାମ ମିଶ୍ର, ଶମ୍ଭୁପ୍ରସାଦ ମିଶ୍ର ଆଦି ସହଯୋଗ କରିଥିଲେ । ଶେଷରେ ବର୍ଷିୟାନ ବ୍ରାହ୍ମଣ ଝାରବଲାଙ୍ଗିରର ଯୋଗୀକର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।