jayashree

ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁଠାରୁ ଅନାଗୁଲ ପର୍ଯ୍ୟନ୍ତ ଆଜିଠାରୁ ‘ମୋ ବସ୍’ ସେବାର ଶୁଭାରମ୍ଭ ହୋଇଛି । ଏହି ବସ୍ ସେବା ଆରମ୍ଭ ହେବା ଫଳରେ ଦୀର୍ଘଦିନ ଧରି ଉନ୍ନତ ଯାତାୟାତ ସୁବିଧା ଅପେକ୍ଷାରେ ଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି । ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ନିୟମିତ ଯାତାୟାତ, ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟବସାୟ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟରେ ଯିବାଆସିବା କ୍ଷେତ୍ରରେ ଏହି ବସ୍ ସେବା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି । ଦୁର୍ଗମ ଅଞ୍ଚଳରେ ସାଧାରଣ ପରିବହନ ସୁବିଧାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସେବା ଆରମ୍ଭ ହେବାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ଦେଖାଯାଉଛି । ଏହି ନୂତନ ବସ୍ ସେବା ଆରମ୍ଭ ହେବା ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝି, ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ରାଜ୍ୟ ପରିବହନ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି । ତେବେ କେବଳ ବସ୍ ସେବା ଆରମ୍ଭ ନୁହେଁ, ଏହାର ନିୟମିତ ପରିଚାଳନା ଓ ଯାତ୍ରୀଙ୍କ ପାଇଁ ସୁବିଧାଜନକ ସେବା ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ଏହି ସେବା ଆଗାମୀ ଦିନରେ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ନୂଆ ଦିଗ ଦେବା ସହ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.