
ବ୍ରହପୁର, (କେପିଏନ୍ଏସ୍) : ଗତ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଗଞ୍ଜାମ ଧ୍ୱଂସ ହୋଇ ବହୁ ଧନ ଜୀବନ ନଷ୍ଟ ହୋଇଯାଇଛି । ଘରକୁ ଆଦାୟ କରି ଆଣିବା ସମୟରେ ପ୍ରକୃତି ଦାଉସାଜିଲା, ବର୍ଷ କର ଖାଦ୍ୟ ନଷ୍ଟ ହେଲା । ଗଞ୍ଜାମ ୫ବର୍ଷ ପଛକୁ ଚାଲିଗଲା । ଜିଲ୍ଲାର ୮୦ ଭାଗ ହେଉଛନ୍ତି ଚାଷୀ ଭାଗଚାଷୀ ଓ କୃଷିଶ୍ରମିକ ଏବେ ସେମାନେ ସାହୁକାର ଋଣ କିପରି ସୁଝିବେ । ମୁଖ୍ୟତଃ ଜିଲ୍ଲାର ୫୦ଭାଗ ଜମିକୁ ଭାଗଚାଷୀମାନେ ଚାଷ କରନ୍ତି । ମାତ୍ର ତାଙ୍କୁ କ୍ଷତି ପୂରଣ ମିଳିନି କି ବୀମା ସହାୟତା ମିଳିନାହିଁ । ଋଣ ଭାରାକ୍ରାନ୍ତ ହୋଇଯାଇଛନ୍ତି ଚାଷୀ ଓ ଭାଗଚାଷୀ । ଧାନ, ପନିପରିବା ସମେତ ଅନ୍ୟାନ୍ୟ ଫସଲ ହୋଇଥିଲେ ଋଣ ଶୁଝି ପରିବାର ଚଳାଇଥାନ୍ତେ । ସମ୍ପ୍ରତି ସମୟରେ ସେମାନେ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହୋଇପଡ଼ିଛନ୍ତି । ସେମାନଙ୍କ ପାଇଁ ଅନ୍ୟ କିଛି ପନ୍ଥା ନାହିଁ । ଜମି ମାଲିକ ବାହାରେ ଥାଇ ନଗୁତି ଖର୍ଚ୍ଚ ନ କରି ସବୁ ସାହାଯ୍ୟ ପାଇବେ । ଏ ସମ୍ପର୍କରେ ସ୍ଥାନୀୟ ନବୀନ ଭବନ ପରିସରରେ ଶନିବାର ଏକ ବୈଠକ ଋଷିକୂଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସଂଘର ଉପଦେଷ୍ଟା ତଥା ସାମ୍ବାଦିକ ରବି ରଥ, ବିନୋଦ ପାଣିଗ୍ରାହୀ, ସଞ୍ଜିବ ରେଡ଼ୀ, ରାମକୃଷ୍ଣ ପାତ୍ର, ବିଜୟ କୁମାର ସ୍ୱାଇଁ, ପବିତ୍ର ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ନିକଟରେ ହୋଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ଗଞ୍ଜାମ କ୍ଷତିଗ୍ରସ୍ତ ପୁନଃ ନିର୍ମାଣ କମିଟି ଗଠନ କରାଯାଇ ସମସ୍ତ ପ୍ରକାର କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ପୁନର୍ଗଠନ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୀର୍ଘ ତିନି ଦଶନ୍ଧି ଧରି ଋଷିକୁଲ୍ୟା ରୟତ ମହାସଭା ତରଫରୁ ଦାବୀ କରିଆସୁଛି । ମାତ୍ର ଜମି ମାଲିକମାନେ ଧନୀ ଓ ଶକ୍ତିଶାଳୀ ହୋଇଥିବାରୁ ତାହା କାର୍ଯ୍ୟକାରୀ ହେଉନାହିଁ । ୨୦୧୬ ମସିହାରେ ସୂର୍ଯ୍ୟନାରାୟଣ ପାତ୍ର ରାଜସ୍ୱ ମନ୍ତ୍ରୀ ଥିବା ସମୟରେ ଭାଗଚାଷୀ ଆଇନ ଆଣିବା ପାଇଁ ବିଧାନସଭାରେ ଆଲୋଚନା ହୋଇଥିଲା । କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ୨୦୧୮ ମସିହାରେ ଗଞ୍ଜାମର ଜିଲ୍ଲାପାଳ ଥିବା ପ୍ରେମଚନ୍ଦ୍ର ଚୌଧୁରୀ ଜିଲ୍ଲାପରିଷଦ ସଭାରେ ଋଷିକୁଲ୍ୟା ଉନୟନ ପରିଷଦ ଗଠନ କରିବା ପାଇଁ ପ୍ରସ୍ତାବ ଆଣି ତାକୁ ଗୃହୀତ କରି ସରକାରଙ୍କୁ ପଠାଇଥିଲେ । ମାତ୍ର ୮ବର୍ଷ ପରେ ବି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଫଳରେ ଏବେ ଗଞ୍ଜାମ ବନ୍ୟା ହୋଇ ପ୍ରାୟ ୫ହଜାର କୋଟି କ୍ଷତି ହୋଇଗଲା । ଏହାର ଭରଣା କେବେ ହେବ କିଏ କହିପାରିବ ? ଗଞ୍ଜାମ ପ୍ରାକୃତିକ ସମ୍ପଦରେ ଭରପୁର ହୋଇଥିଲେ ସୁଦ୍ଧା ପ୍ରତିବର୍ଷ ୫ଲକ୍ଷ ଚାଷୀ ଓ କୃଷି ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି । ସରକାର ପରେ ସରକାର ଆସୁଛନ୍ତି ମାତ୍ର ଗଞ୍ଜାମ ଚାଷୀଙ୍କ ଦୁଃଖ ଦୂର ହେଉନାହିଁ । ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଓ ଲୋକ ସଚେତନ ଅଭାବରୁ ଏପରି ହେଉଛି । ସବୁ ସରକାର କମ୍ପାନୀ ସ୍ୱାର୍ଥ ପାଇଁ ବ୍ୟସ୍ତ । ଗଞ୍ଜାମ ଜିଲ୍ଲା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟରେ ସମ୍ମୁଖୀନ ହେଉଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ସମ୍ପ୍ରତି ଯଦି ପିପଲପଙ୍କା ଠାରେ ୧୫୫ ଫୁଟର ଡ୍ୟାମ ହୋଇଥାନ୍ତା ତେବେ ପ୍ରବଳ ବର୍ଷା ଯୋଗୁଁ ଉପରମୁଣ୍ଡର ବନ୍ୟା ପାଣି ଆସି ଗଞ୍ଜାମ ଡୁବି ଯାଆନ୍ତା । ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବଡ଼ ଡ୍ୟାମ ସମାଜ ପାଇଁ ଘୋର ବିପଦ । ବିଭିନ୍ନ ଦେଶର ବଡ଼ ବଡ଼ ଡ୍ୟାମ ୫୦ ବର୍ଷ ମଧ୍ୟରେ ନଷ୍ଟ ହୋଇ ଧନ ଜୀବନ ଓ ପରିବେଶକୁ ଧ୍ୱଂସ କରିଦେଇଛି । ଏଣୁ ସରକାର ବୈଷୟିକ ଟିମ ଦ୍ୱାରା ଅଧ୍ୟୟନ କରି ଋଷିକୁଲ୍ୟା ନଦୀର ବିଭିନ୍ନ ଜାଗାରେ ଯାନିବିଲି ଆନିକଟ ପରି ଛୋଟ ଛୋଟ ଆନିକଟ କଲେ ଜିଲ୍ଲାର ଜଳସେଚନ ଓ ପିଇବା ପାଣିର ସୁବିଧା ହୋଇପାରିବ । ଏଣୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଶି ଆତ୍ମନିର୍ଭର ଗଞ୍ଜାମ କରିବା ପାଇଁ ଋଷିକୁଲ୍ୟା ଉନୟନ ପରିଷଦ ଗଠନ କରି ନଦୀର ସୁପରିଚାଳନା ଓ ନଦୀକୁ ଚିରସ୍ରୋତା କରିବା ପାଇଁ ଯୋଜନା କରିବା ପାଇଁ ପ୍ରେସ ଇସ୍ତାହାରରେ ଋଷିକୁଲ୍ୟା ରୟତ ମହାସଭା ଦାବୀ କରିଛି ।