jayashree

ଆଗଲପୁରରେ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଅନୁଷ୍ଠିତ

  • ଚାଷୀଙ୍କ ସମୃଦ୍ଧି ହିଁ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ମୂଳ ଆଧାର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍ ଅନ୍ତର୍ଗତ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଯୋଗ ଦେଇଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଶ୍ରୀମତୀ ବୀଣାପାଣି ଦାଶ, ଜିଲ୍ଲା ପରିଷଦ ସଦସ୍ୟା ଜୋନ ୨, ଶ୍ରୀମତୀ ସୀମା ପଟେଲ ବି. କେ. ଏନ୍, ଦୁଗ୍ଧ ସଂଘ ସଭାପତି, ଡ. ଶାରଦା ପ୍ରସାଦ ସିଂହ ବରିହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସୁଶ୍ରୀ ରେଶ୍ଣାରାଣୀ ସିଂ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଯୋଗ ଦେଇଥିଲେ । ଡ. ମୋହନ ମାଣିଆ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିଲେ । ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆଗଲପୁର ସଭାର ସଭାପତି ଭାବେ ଯୋଗ ଦେଇଥିଲେ । ମେଳାରେ ବ୍ଲକର ବିଭିନ୍ନ ଗ୍ରାମରୁ ୪୦୦ ରୁ ଅଧିକ ମତ୍ସ୍ୟ ଚାଷୀ ଓ ପ୍ରାଣୀପାଳକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟ ଅତିଥିଙ୍କ ଦ୍ଵାରା ଗୋ ପୂଜନ, ବୃକ୍ଷରୋପଣ ଏବଂ ମେଳାର ବିଭିନ୍ନ ଷ୍ଟଲ୍ ପରିଦର୍ଶନ ମାଧ୍ୟମରେ ହୋଇଥିଲା । ମନ୍ତ୍ରୀ ନିଜ ଅଭିଭାଷଣରେ ମତ୍ସ୍ୟଚାଷୀ ଓ ପଶୁପାଳକମାନଙ୍କ ଭବିଷ୍ୟତ ଅର୍ଥନୀତି ଗଠନରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଗ୍ରାମାଞ୍ଚଳର ତୃଣମୂଳ ସ୍ତରର ଚାଷୀ, ମତ୍ସ୍ୟଜୀବୀ ଓ ପଶୁପାଳକଙ୍କ ଆର୍ଥିକ ବିକାଶ ସୁନିଶ୍ଚିତ ହେବ । ଗ୍ରାମୀଣ ଅର୍ଥନୀତିର ମୂଳଦୁଆକୁ ସୁଦୃଢ଼ କରିବା, ଆଧୁନିକ ଜ୍ଞାନ କୌଶଳର ପ୍ରସାର, ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଡା. ଝସକେତନ ପଶାୟତ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଡୁଙ୍ଗୁରିପାଲି ସୁନ୍ଦର ଭାବେ ଉପସ୍ଥାପନା ଓ ସଂଯୋଜନା କରିଥିଲେ । ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରଜତ କୁମାର ପଣ୍ଡାଙ୍କ ନେତୃତ୍ୱ ଓ ବାଣୀ ନିର୍ମାଲ୍ୟ ରାଉତ୍, ସହକାରୀ ମତ୍ସ୍ୟ ଅଧିକାରୀ ଆଗଲପୁର ଏବଂ ଆଗଲପୁର ବ୍ଲକ୍‌ର ପ୍ରାଣୀସମ୍ପଦ ଓ ମତ୍ସ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ଏହି ମେଳାର ଆୟୋଜନ ଓ ପରିଚାଳନା କରାଯାଇଥିଲା । ମେଳାରେ ଗୋପାଳନ, ଛେଳି ଓ ମେଣ୍ଢା ପାଳନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ ଆୟବର୍ଦ୍ଧକ କୃଷିଭିତ୍ତିକ ଉଦ୍ୟୋଗ ସମ୍ପର୍କରେ ଚାଷୀମାନଙ୍କୁ ବୈଷୟିକ ଜ୍ଞାନ ଓ ସରକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା । ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ସହିତ ଚାଷୀମାନଙ୍କ ଅଭିଜ୍ଞତା ଆଦାନପ୍ରଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏହି ମେଳା ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଛି । ସଭାଶେଷରେ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ଡୁଦୁକାରୁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଷ୍ଟଲ୍ ପରିଦର୍ଶନ କରାଯାଇଥିଲା । ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ମାନ୍ୟବର ଅତିଥି, ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.