
ଲୋଇସିଂହା, (ବିମଳେନ୍ଦୁ ସାହୁ) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଲୋଇସିଂହା ସାପ୍ତାହିକ ବଜାର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କାର୍ଯ୍ୟକ୍ରମ ପ୍ରଦର୍ଶନୀ, ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ବିଭାଗର ବିକାଶ ସମ୍ୱନ୍ଧରେ ଆଲୋଚନା ହୋଇଥିଲା । ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଆନନ୍ଦ ସାଗର ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇ ଚାକିରୀ ପଛରେ ନ ଗୋଡ଼ାଇ ବିଭିନ୍ନ ସରକାରୀ ଯୋଜନାର ଫାଇଦା ଉଠାଇବା ସହିତ ନିଜେ ସ୍ୱାବଲମ୍ବୀ ହୋଇ ଏକ ଆତ୍ମ ନିର୍ଭରଶୀଳ ରାଷ୍ଟ୍ର ଗଠନରେ ସହାୟକ ହେବାକୁ ଯୁବାବର୍ଗ ତଥା ମହିଳାଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପାଟଣାଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ. କଲ୍ଲୋଳ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ସାରଦା ପ୍ରସାଦ ସିଂ ବରିହା, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ମୋହନ ମାଣିଆ, ବିଡ଼ିଓ ଅକ୍ଷୟପାଣି ଉଡୁ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ବ୍ଲକ ମତ୍ସ୍ୟ ଅଧିକାରୀ ପ୍ରାଣମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଲୋଇସିଂହା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ. ଆନନ୍ଦ ସାଗର ସେଠ୍ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ସଂଗ୍ରାମ ସିଂ ନାଏକ ଓ ମୋନାଲି ଦାସ ମିଳିତ ଭାବେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରାଣୀ ସମ୍ପଦ ତଥା ମତ୍ସ୍ୟ ବିଭାଗ ଏବଂ ଓଏଲ୍ଏମ୍ର ବିଭିନ୍ନ ଯୋଜନାରୁ ଉପକୃତ ହୋଇଥିବା ଚାଷୀ ଓ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଚେକ୍, ମାନପତ୍ର ତଥା ଉତ୍ତରୀୟ ଦେଇ ସମ୍ୱର୍ଦ୍ଧିତ କରାଯିବା ସହିତ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏଥିସହିତ ଏହି କାର୍ଯ୍ୟକ୍ରମ ଆଧାରିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ବିଭାଗୀୟ କର୍ମଚାରୀ ସହଯୋଗ କରିଥିବା ବେଳେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ପ୍ରାଣମିତା ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।