
ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁ ନବାଗତା ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ‘ନବୋନ୍ମେଷଃ’ ଶୀର୍ଷକ ଏକ ଭବ୍ୟ ଓ ଆତ୍ମୀୟତାପୂର୍ଣ୍ଣ ସ୍ୱାଗତ ସମାରୋହ ମହାବିଦ୍ୟାଳୟର ପ୍ରେକ୍ଷାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସ୍ନାତକ ପ୍ରଥମ ବର୍ଷ ଓ ସ୍ନାତକୋତ୍ତର ପ୍ରଥମ ବର୍ଷର ନବାଗତା ଛାତ୍ରୀମାନଙ୍କୁ ବିଭାଗର ବରିଷ୍ଠ ଛାତ୍ରୀମାନଙ୍କ ପକ୍ଷରୁ ସ୍ନେହ, ସୌହାର୍ଦ୍ଧ୍ୟ ଓ ଆତ୍ମୀୟତାର ସହିତ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମର ଶୁଭାରମ୍ଭ ବୈଦିକ ମନ୍ତ୍ରୋଚ୍ଚାରଣ ଓ ମଙ୍ଗଳମୟ ଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ହୋଇଥିଲା । ବୈଦିକ ମନ୍ତ୍ରୋଚ୍ଚାରଣ କରିଥିଲେ ଆଚାର୍ଯ୍ୟ ଆଦର୍ଶ କୁମାର ମହାପାତ୍ର । ଏହାପରେ ଛାତ୍ରୀମାନଙ୍କ ପକ୍ଷରୁ ଉପସ୍ଥିତ ଅତିଥି ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ପୁଷ୍ପଗୁଚ୍ଛ ଓ ଆତ୍ମୀୟ ସମ୍ବର୍ଦ୍ଧନା ମାଧ୍ୟମରେ ସ୍ୱାଗତ ଜଣାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋମୁଗ୍ଧକର ସ୍ୱାଗତ ସଙ୍ଗୀତ ସମଗ୍ର ପରିବେଶକୁ ଆନନ୍ଦମୟ ଓ ଉତ୍ସବମୁଖର କରିଥିଲା । ଏହି ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝା ନବାଗତା ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ଶିକ୍ଷା, ଶୃଙ୍ଖଳା, ନିଷ୍ଠା ଓ ନୈତିକ ମୂଲ୍ୟବୋଧର ମହତ୍ତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ମହାବିଦ୍ୟାଳୟର ଆକାଉଣ୍ଟସ୍ ବର୍ସାର ବିଭୂତି ଭୂଷଣ ସାହୁ, ଏକାଡେମିକ୍ ବର୍ସାର ଡ. କୁମାର ସମ୍ଭବ ଚୋପଦାର ଏବଂ ଆଡମିନିଷ୍ଟ୍ରେଟିଭ୍ ବର୍ସାର ଶ୍ରୀମତୀ ରଶ୍ମିରେଖା ଭୋଇ ନବାଗତା ଛାତ୍ରୀମାନଙ୍କୁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଉଚ୍ଚଶିକ୍ଷାର ଗୁରୁତ୍ୱ, ସମୟାନୁବର୍ତ୍ତିତା, ଆତ୍ମବିଶ୍ୱାସ ଓ ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରଣର ଆବଶ୍ୟକତା ସମ୍ପର୍କରେ ପ୍ରେରଣାଦାୟୀ ଉପଦେଶ ପ୍ରଦାନ କରିଥିଲେ । ସେହିପରି ସ୍ନାତକୋତ୍ତର ସଂସ୍କୃତ ବିଭାଗର ବିଭାଗମୁଖ୍ୟ ଡ. ସଦାଶିବ ମଲ୍ଲିକ ନିଜ ବକ୍ତବ୍ୟରେ ସଂସ୍କୃତ ଭାଷା ଓ ସାହିତ୍ୟର ଅନନ୍ୟ ମହିମା, ଭାରତୀୟ ଜ୍ଞାନପରମ୍ପରାରେ ଏହାର ଅବଦାନ ତଥା ଛାତ୍ରୀମାନଙ୍କ ଜୀବନରେ ଏହାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗର ସହକାରୀ ପ୍ରାଧ୍ୟାପକ ଅଜିତ କୁମାର ପଣ୍ଡା, ଅଧ୍ୟାପକ ଡ. ସମୀର ବିଶ୍ୱାଳ, ଆଚାର୍ଯ୍ୟ ଆଦର୍ଶ କୁମାର ମହାପାତ୍ର ଏବଂ +୨ ସଂସ୍କୃତ ବିଭାଗର ଅଧ୍ୟାପକ ଜତୀନ୍ଦ୍ର ଦଣ୍ଡସେନା ମଧ୍ୟ ନବାଗତା ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସଂସ୍କୃତ ଭାଷାର ଗାମ୍ଭୀର୍ଯ୍ୟ, ଅଧ୍ୟୟନଶୀଳତା, ଚରିତ୍ର ଗଠନ, ଶିକ୍ଷାଗତ ଉତ୍କର୍ଷ ଓ ଜୀବନରେ ସଫଳତା ହାସଲ ନିମନ୍ତେ ନିରନ୍ତର ପରିଶ୍ରମର ଆବଶ୍ୟକତା ଉପରେ ମୂଲ୍ୟବାନ ମତାମତ ରଖିଥିଲେ । ଅତିଥି ଓ ଅଧ୍ୟାପକମାନଙ୍କ ମାର୍ଗଦର୍ଶନ ନବାଗତା ଛାତ୍ରୀମାନଙ୍କ ମନରେ ନୂତନ ଉଦ୍ଦୀପନା, ଆତ୍ମବିଶ୍ୱାସ ଓ ଅଧ୍ୟୟନ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିଥିଲା । ମଧ୍ୟାହ୍ନ ଭୋଜନ ବିରତି ପରେ ଛାତ୍ରୀମାନଙ୍କ ଦ୍ୱାରା ଏକ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ କଳାତ୍ମକ ଦକ୍ଷତାର ମନୋଜ୍ଞ ପରିଚୟ ମିଳିଥିଲା । ଉଲ୍ଲେଖନୀୟ ଯେ, ଏହି ସମାରୋହରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀବୃନ୍ଦଙ୍କୁ ସଂସ୍କୃତ ବିଭାଗ ପକ୍ଷରୁ ମଧ୍ୟାହ୍ନ ଭୋଜନ ନିମନ୍ତେ ସାଦର ଆମନ୍ତ୍ରଣ କରାଯାଇଥିଲା । ସେମାନଙ୍କର ସ୍ୱତଃସ୍ଫୂର୍ତ୍ତ ଯୋଗଦାନ, ସ୍ନେହପୂର୍ଣ୍ଣ ସାନ୍ନିଧ୍ୟ ଓ ଶୁଭେଚ୍ଛା ସମାରୋହର ଆତ୍ମୀୟତାକୁ ଆହୁରି ଦ୍ୱିଗୁଣିତ କରିଥିଲା । ସମଗ୍ର କାର୍ଯ୍ୟକ୍ରମଟି ସ୍ନାତକ ଶେଷ ବର୍ଷର ଛାତ୍ରୀ ସୁଶ୍ରୀ ତେଜସ୍ୱିନୀ ଦାଶଙ୍କ ସୁନିପୁଣ ସଂଯୋଜନାରେ ସୂଚାରୁରୂପେ ପରିଚାଳିତ ହୋଇଥିଲା । ପରିଶେଷରେ ଶାନ୍ତିମନ୍ତ୍ର ପାଠ ସହିତ ଏହି ଜ୍ଞାନ, ସଂସ୍କାର ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ସ୍ୱାଗତ ସମାରୋହର ପରିସମାପ୍ତି ଘଟିଥିଲା। ‘ନବୋନ୍ମେଷଃ’ କେବଳ ଏକ ସ୍ୱାଗତ ସମାରୋହ ନୁହେଁ; ବରଂ ନବଚେତନାର ଉନ୍ମେଷ, ନୂତନ ସମ୍ଭାବନାର ଆବାହନ ଏବଂ ଜ୍ଞାନମୟ ଭବିଷ୍ୟତ୍ ଗଠନର ଏକ ଅଭିନବ ପ୍ରୟାସ ଭାବେ ସମସ୍ତଙ୍କ ମନରେ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା ।