
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ମାର୍କେଟ ରୋଡ଼ କମିଟି ତରଫରୁ ଆୟୋଜିତ ଚତୁର୍ଥ ବାର୍ଷିକୀ ମା’ ଶ୍ୟାମାକାଳୀଙ୍କ ପୂଜା ଖୁବ୍ ଉତ୍ସବମୁଖର ହୋଇଉଠିଛି । ଏହି ପୂଜା ମଣ୍ତପରେ ଦୀପାବଳୀ ଅମାବାସ୍ୟା ସନ୍ଧ୍ୟାରେ ଦେବୀଙ୍କ ଆବାହନ ପୂଜା କର୍ମକାଣ୍ଡ ଆଦି ଆରମ୍ଭ ହୋଇଥିଲା । ସୁନ୍ଦର ଆଲୋକ ଓ ତୋରଣର ଶୋଭା ବର୍ଦ୍ଧନ ଭକ୍ତଜନଙ୍କୁ ଭକ୍ତି ଭାବାପନ୍ନରେ ଆକର୍ଷିତ କରିଛି । ଚଳିତ ବର୍ଷ ଦେବୀ ମା’ କାଳୀଙ୍କ ମୂର୍ଣ୍ମୟୀ ପ୍ରତିମୂର୍ତ୍ତିରେ ତିନି କିଲୋରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର ସୁସଜ୍ଜିତ ହୋଇଥିବା ସାଂଗକୁ ଚିତ୍ତାକର୍ଷକ ମେଢ଼ ଏବଂ ପୂଜାମଣ୍ଡପରେ ତେରକୋଟା, ଗ୍ରାମୀଣ ସଂସ୍କୃତିର ଚିତ୍ରକଳା ପ୍ରଦର୍ଶନୀରେ ଭରପୂର ହୋଇ ଦର୍ଶକଙ୍କୁ ବିମୋହିତ କରୁଛି । ଦୈନିକ ସନ୍ଧ୍ୟାରେ ଢ଼ୋଲ, ଝାଞ୍ଜ, ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି । ସନ୍ଧ୍ୟାରେ ଦେବୀଙ୍କ ୧୦୮ ଆରତୀ ବନ୍ଦାପନା ନୀତି ଦେଖିବା ପାଇଁ ଅଗଣିତ ଭକ୍ତଙ୍କ ସମାବେଶ ହୋଇଥାଏ । ଏହି ପୂଜା ସମ୍ଭାର ଚଳିତ ୧୪ ତାରିଖରେ ପୂର୍ଣ୍ଣାହୁତି ହେବ ଏବଂ ୧୫ ତାରିଖରେ ଦେବୀଙ୍କ ପୂଜା ସମ୍ଭାର ବର୍ଣ୍ଣାଢ଼୍ୟ ସମାରୋହରେ ବିସର୍ଜନ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି । ପଣ୍ଡିତ ସରୋଜ କୁମାର ଶତପଥୀ, ମୋତିଲାଲ ଦାଶ ଏବଂ ଶଙ୍କର୍ଷଣ ନନ୍ଦ ପ୍ରମୁଖଙ୍କ ଦ୍ଵାରା ଦୈନିକ ନୀତିକାନ୍ତି, ପୂଜାକର୍ମକାଣ୍ଡ ସମାହିତ ହୋଇଆସୁଅଛି । ସନ୍ଧ୍ୟାରେ ମହୁରିୟା ଏବଂ ଢୋଲିୟାର ତାଳେ ତାଳେ ଆରତୀ ଦର୍ଶନ ପାଇଁ ବହୁ ଦର୍ଶକଙ୍କ ସମାବେଶ ଦେଖିବାକୁ ମିଳୁଛି । ମୁଖ୍ୟ କର୍ତ୍ତା ଭାବେ ଇ. ରାଜ କୁମାର ଓ ଇ.ପବିତ୍ରାଙ୍କ ଦ୍ୱାର ପୂଜା କାର୍ଯ୍ୟ ଚାଲିଛି । ପଣ୍ଡିତ ସୁଦ୍ଧସିନ୍ଧୁ, ଦାସ, ସାହେବ ନନ୍ଦ, ସୂର୍ଯ୍ୟକାନ୍ତ ଦାସ, ରାହୁଲ କୁମାର ଦାସ, କୃଷ୍ଣଚନ୍ଦ୍ର ରଥ, ରୋଶନ କୁମାର ଦାସ, ସିପକ ତ୍ରିପାଠୀଙ୍କ ମନ୍ତ୍ର ଧ୍ଵନି ଏବଂ ଚଣ୍ଡୀ ପାଠରେ ସହର ପ୍ରକମ୍ପିତ ହେଉଛି । ଶୁକ୍ରବାର ମଧ୍ୟାହ୍ନରେ ସର୍ବସାଧାରଣରେ ଅନ୍ନପ୍ରସାଦ ତଥା ଆନନ୍ଦ ବଜାର କାର୍ଯ୍ୟକ୍ରମ ରହିଛି ବୋଲି ପୂଜା କମିଟିର ଉଦ୍ୟକ୍ତାଙ୍କ ଠାରୁ ସୂଚନା ଦିଆଯାଇଛି । ୧୪ ତାରିଖରେ ମଧ୍ୟରାତ୍ରିରେ ଯଜ୍ଞ କର୍ମକାଣ୍ଡ ପୂର୍ଣ୍ଣାହୂତି ହେଉଥିବା ବେଳେ ୧୫ ତାରିଖରେ କାଳୀପୂଜା ଉଦଯାପିତ ହେବ ବୋଲି ଛତ୍ରପୁର ମାର୍କେଟ ରୋଡ଼ କାଳୀପୂଜା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।