
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଅଞ୍ଚଳ ମହା ବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ଶିକ୍ଷା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଉମା ପ୍ରଧାନ, ଇଂରାଜୀ ବିଭାଗର ପୂର୍ବତନ ମୁଖ୍ୟ, “ଶିକ୍ଷାର ସହ-ସୃଷ୍ଟିରେ ଯୁବଶକ୍ତିର ଭୂମିକା” ଶୀର୍ଷକରେ ଆଲୋକପାତ କରି ଜ୍ଞାନ, ମୂଲ୍ୟବୋଧ, ଦକ୍ଷତା ଓ ସାମାଜିକ ଦାୟିତ୍ୱର ଗୁରୁତ୍ୱ ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ଝାରବନ୍ଧ ବ୍ଲକ୍ ଶିକ୍ଷାଧିକାରୀ ଯତୀନ୍ଦ୍ର କୁମାର ସେଠ୍ ଶିକ୍ଷା ମାଧ୍ୟମରେ ଯୁବପିଢ଼ିର ସମ୍ଭାବନାର ବିକାଶ ଓ ରାଷ୍ଟ୍ର ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ବିଭାଗୀୟ ମୁଖ୍ୟ ଡ. ତୁଷାରକାନ୍ତ ସାହୁ ସ୍ୱାଗତ ଭାଷଣ ଦେବା ସହ ମୌଲାନା ଆଜାଦଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରିଥିଲେ । ଡ. ସସ୍ମିତା ମେହେର ମୂଲ୍ୟବୋଧ ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ, ଡ. ଭେଙ୍କଟେଶ୍ୱର ମେହେର ବ୍ଲୁମ୍ଙ୍କ ଶିକ୍ଷଣ ଶ୍ରେଣୀକରଣ ଆଧାରରେ ଶିକ୍ଷାର ସାମାଜିକ, ଭାବନାତ୍ମକ ଓ ନୈତିକ ଦିଗ ଏବଂ ଶ୍ରୀ ନିମାଇଁ ସାହୁ ଚରିତ୍ର ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ତ୍ରିପାଠୀ, ପୂର୍ଣ୍ଣିମା ଦୋରା, ଝୁନୁ ପରିଡ଼ା, ଶର୍ମିଳା ପଣ୍ଡା, ମମତାୟୀ ଗୁରୁ, ପ୍ରଶାନ୍ତ ସିଦାର, ପ୍ରଦୀପ ସୁନା ଓ ତୋଷବନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱନାଥ ପୋଢ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଝରଣା ଓ ତାଙ୍କ ସାଥୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅପରାହ୍ଣରେ ଶିକ୍ଷା ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଯଥା – ପ୍ରତିଭା, ଝରଣା, ନେପୋଲିଅନ୍, ଭୂମିକା, ଦାମିନୀ, ମୌସୁମୀ, ନୟନା, ସଚିନ ପ୍ରମୁଖ ବିଭିନ୍ନ ଶିକ୍ଷାଭିତ୍ତିକ ବିଷୟରେ ସେମିନାର ପ୍ରବନ୍ଧ ଉପସ୍ଥାପନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ଶିକ୍ଷାର ମାନବୀୟ ମୂଲ୍ୟବୋଧ, ସାମଗ୍ରିକ ବିକାଶ ଓ ରାଷ୍ଟ୍ର ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ଏକ ଅର୍ଥପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଶିକ୍ଷା ବିଭାଗର ଛାତ୍ରୀ ସୁଶ୍ରୀ ଡିମ୍ପଲ ରଣା ଙ୍କର ଜାତୀୟ ସ୍ତରୀୟ କାବଡ୍ଡି ପ୍ରତିଯୋଗିତାରେ ଚୟନ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।