ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଜେଲ ହାଜତକୁ ଗଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜେଲ ଗଲେ ବିଜେଡିର ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ମଙ୍ଗଳବାର ଫୁଲବାଣୀ ପୁଲିସ୍ ଗିରଫ କରିଛି । ତାଙ୍କ ସହ ଜଣେ ଆଇଆର୍‌ବିଏନ୍‌ର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି । ଘଟଣାରେ ଆଉ ତିନିଜଣ ସମ୍ପୃକ୍ତ ଥିବାବେଳେ ସେମାନଙ୍କୁ ଧରିବା ପାଇଁ ଫୁଲବାଣୀ ଟାଉନ୍ ଥାନା ଚେଷ୍ଟା ଚଳାଇଥିବା ବିଷୟ ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି । ଗିରଫ ପରେ ତାଙ୍କୁ ଏସଡ଼ିଜେଏମ୍‌ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆଦେବନ ଖାରଜ କରି ଦେଇଛନ୍ତି । ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀ ଶଙ୍କର ବେହେରା କହିଛନ୍ତି । ବର୍ତ୍ତମାନ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୧୧ ତାରିଖରେ ପରଜଙ୍ଗ ଥାନା ଅଞ୍ଚଳର କାମାକ୍ଷୀ ବେହେରା ନାମକ ଜଣେ ବ୍ୟକ୍ତି ନିଜ କାରରେ କନ୍ଧମାଳ ଜିଲ୍ଲା କାଶିନିପଦର ଅଞ୍ଚଳରେ ରହୁଥିବା ଜଣେ ସାଙ୍ଗଙ୍କ ଘରକୁ ଯାଉଥିଲେ । ଏହି ସମୟରେ ଉରୁମଗଡ଼ ଗାଁ ରାସ୍ତାରେ କାମାକ୍ଷୀ ସଠିକ ଠିକଣା ପଚାରିଥିଲେ । ପରେ ପରେ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ କାମାକ୍ଷୀଙ୍କୁ ଠିକଣା କହିବା ବଦଳରେ ତାଙ୍କୁ ମାଡ଼ ମାରିବା ସହ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିଲେ । ଟଙ୍କା ଲୁଟ୍ କରିବା ପରେ କାମାକ୍ଷୀଙ୍କୁ ଛାଡ଼ି ଦେଇଥିଲେ । ଏହାପରେ କାମାକ୍ଷୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ମଙ୍ଗଳବାର ଦିନ ପୁଲିସ୍ ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି । ତେବେ ଦେବେନ୍ଦ୍ରଙ୍କ ଗିରଫଦାରୀ ନୂଆ ନୁହେଁ । ଏହା ପୂର୍ବରୁ ୨୦୧୮ରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଧ୍ୟ ଦେବେନ୍ଦ୍ରଙ୍କୁ ଗିରଫ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

Leave A Reply

Your email address will not be published.