
- ମିଲର୍ସ-ପେକ୍ସ ମିଳିଭଗତରେ ଅନିୟମିତତା ଅଭିଯୋଗ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ଏକ ଆଦିବାସୀ ଓ ଦାଦନ ପ୍ରବଣ ଅଞ୍ଚଳ । ଏଠାକାର ଚାଷୀମାନେ ବିଭିନ୍ନ ସମୟରେ ମିଲର୍ସ ଓ ପେକ୍ସ ସମ୍ପାଦକଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ଚଳିତ ଖରିଫ ଧାନ କିଣା ପ୍ରକ୍ରିୟାକୁ ନେଇ ମଧ୍ୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯଥାଶୀଘ୍ର ଧାନ କିଣା ଆରମ୍ଭ କରିବା ସହ ମଣ୍ଡିରେ ଚାଷୀଙ୍କଠାରୁ ସରକାରୀ ନିୟମ ଅନୁଯାୟୀ ଧାନ କିଣିବା ଏବଂ ଅନିୟମିତତା ବନ୍ଦ କରିବା ଦାବିରେ କଣ୍ଟାବାଞ୍ଜି କୃଷକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେତେକ ମିଲର୍ସ ଓ ପେକ୍ସ ସମ୍ପାଦକଙ୍କ ମଧ୍ୟରେ ମିଳିଭଗତ ଯୋଗୁଁ ଧାନକିଣା ପ୍ରକ୍ରିୟାରେ ଅନିୟମିତତା ହେଉଛି । ଏହାଦ୍ୱାରା ଚାଷୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିରେ ଚାଷୀଙ୍କୁ ହଇରାଣ ନକରି ଧାନର ଉଚିତ ମୂଲ୍ୟ ଓ ସରକାରୀ ନିୟମ ଅନୁଯାୟୀ କ୍ରୟ ସୁନିଶ୍ଚିତ କରିବାକୁ ସଂଗଠନ ଦାବି କରିଛି । ସଂଗଠନର ସଭାପତି ଅଜିତ କୁମାର ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଉପସଭାପତି ଲୋକନାଥ ପ୍ରଧାନୀ, ଉଦ୍ଧବ ବାଗ, ପିଣ୍ଟୁ ଦାସ, ଭୋଜରାଜ କୁମ୍ଭାର, ହାତୀରାମ ଭୋଇ, ତିରୁପତି ସାହୁ ଓ ସମ୍ପାଦକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀଙ୍କ ହକ୍ ଓ ସ୍ୱାର୍ଥର ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ସଂଗଠନ ପକ୍ଷରୁ ଆନ୍ଦୋଳନ ଜୋରଦାର ବୋଲି ସଭାପତି ଅଜିତ ଯୋଶୀ କହିଛନ୍ତି ।