jayashree

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

  • ଯୋଗଦେଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ୬୦୦ରୁ ଅଧିକ ଚାଷୀଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବଙ୍ଗୋମୁଣ୍ଡାଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଉଦ୍ୟାନ ବିଭାଗ ନର୍ସରୀ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମେଳାରେ ୬୦୦ରୁ ଅଧିକ ମତ୍ସ୍ୟଜୀବୀ, ପ୍ରାଣୀପାଳକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସାମିଲ ହୋଇଥିଲେ । ବିଡିଓ ନିତୁଶ୍ରୀ ମେହେରଙ୍କ ଅଧ୍ୟକ୍ଷତାରେ ଏବଂ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନିହାର ରଞ୍ଜନ ଦେବତାଙ୍କ ସଂଯୋଜନାରେ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ସାଂସଦଙ୍କ ପ୍ରତିନିଧି ଅନିଲ ନାଏକ ଓ ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶାରଦା ପ୍ରସାଦ ସିଂ ବରିହା ଓ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ରେଶମାରାଣୀ ସିଂ ଯୋଗଦେଇ ମତ୍ସ୍ୟ ଚାଷ ଓ ପ୍ରାଣୀପାଳନର ଆଧୁନିକ ପଦ୍ଧତି ସମ୍ପର୍କରେ ଚାଷୀଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଦୁଇଜଣ ଅଗ୍ରଣୀ ମତ୍ସ୍ୟଚାଷୀ, ତିନିଜଣ ପ୍ରାଣୀପାଳକ ଏବଂ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମାଛ ଚାଷ, କୁକୁଡ଼ା ପାଳନ ଓ ଛେଳି ପାଳନ ସମ୍ପର୍କରେ ନିଜ ଅନୁଭୂତି ବାଣ୍ଟିଥିଲେ । ଏଥିସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ୧୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା । ମେଳାରେ ଚାଷୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ପାଟଣାଗଡ଼ର ସହକାରୀ ମତ୍ସ୍ୟ ଅଧିକାରୀ ଜସ୍ମିନ ବଳ, ସଇଁତଲାର ସୁଜିତ ମହାନ୍ତିଙ୍କ ସମେତ ବିଭିନ୍ନ ଅଞ୍ଚଳର ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଚାଷୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ ଓ ପ୍ରାଣୀପାଳନ, ରୋଗ ନିୟନ୍ତ୍ରଣ ଏବଂ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଉପାଦେୟ ପରାମର୍ଶ ଦେଇଥିଲେ । ଏହାସହ ୫୦ରୁ ଅଧିକ ଛାତ୍ରଛାତ୍ରୀ ମେଳାର ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ବୁଲି ଦେଖିଥିଲେ । ନର୍ସରୀ ପରିସରରେ ବୃକ୍ଷରୋପଣ କରାଯାଇଥିବା ବେଳେ ବଙ୍ଗୋମୁଣ୍ଡାର କଳା ଘର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରାଯାଇଥିଲା । ଗ୍ରାମାଞ୍ଚଳରେ ମତ୍ସ୍ୟ ଚାଷ, କୁକୁଡ଼ା ଓ ଛେଳି ପାଳନକୁ ଅଧିକ ପ୍ରୋତ୍ସାହନ ଦେବା, ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସମେତ କୃଷି, ଉଦ୍ୟାନ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ବ୍ଲକ ମତ୍ସ୍ୟ ଅଧିକାରୀ ଆଲୋକ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.