jayashree

କେଉଟ-କୈବର୍ତ୍ତ-ଧୀବରଙ୍କୁ ଏସ୍‌ସି ତାଲିକାରୁ ବାଦ୍ ଦାବିରେ ଆନ୍ଦୋଳନ ଚେତାବନୀ

  • ୧୩ରେ ପାଟଣାଗଡ଼ରେ ମହାରାଲି, ୧୬ରୁ ଅମରଣ ଅନଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେଉଟ-କୈବର୍ତ୍ତ-ଧୀବର ଜାତିକୁ ଅନୁସୂଚିତ ଜାତି ତାଲିକାରୁ ବାଦ୍ ଦେବା ଦାବିରେ ତେଜିବ ଆନ୍ଦୋଳନ । ଏନେଇ ଅଲ୍‌ ଓଡ଼ିଶା କେଉଟ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ନଭେମ୍ବର ୧୩ ତାରିଖରେ ପାଟଣାଗଡ଼ଠାରେ ଏକ ବିଶାଳ ମହାରାଲି ଆୟୋଜନ କରାଯିବ । ଏହା ସତ୍ତ୍ୱେ ଦାବି ପୂରଣ ନହେଲେ ନଭେମ୍ବର ୧୬ ତାରିଖରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନଶନ କରାଯିବ ବୋଲି କମିଟି ଚେତାବନୀ ଦେଇଛି । ରବିବାର ବଲାଙ୍ଗିର ସ୍ଥାନୀୟ ସାମ୍ବାଦିକ ଭବନଠାରେ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଘୋଷଣା କରାଯାଇଛି । କମିଟିର ଆବାହକ ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ୨୦୦୨ ମସିହାରେ ରାଜନୈତିକ ଚକ୍ରାନ୍ତ ଯୋଗୁଁ କେଉଟ-କୈବର୍ତ୍ତ-ଧୀବର ଜାତିକୁ ଅନୁସୂଚିତ ଜାତି ତାଲିକାର ୨୪ ନମ୍ବର କ୍ରମିକରେ ସାମିଲ କରାଯାଇଥିବା କମିଟି ଅଭିଯୋଗ କରିଛି । କମିଟିର ଦାବି ଅନୁଯାୟୀ, ଏହି ଜାତିର ଲୋକେ କେବେ ଅସ୍ପୃଶ୍ୟତାର ଶିକାର ହୋଇନାହାନ୍ତି । ଏନେଇ ଏସ୍‌ସି-ଏସ୍‌ଟି ଆରଟିଆଇର ବୈଜ୍ଞାନିକ ରିପୋର୍ଟ ଏବଂ ଓଡ଼ିଶା ସରକାରଙ୍କ ୨୪୨୦୪ ନମ୍ବର ପତ୍ର, ତାରିଖ ୦୬.୧୦.୨୦୨୫ରେ ଏହା ପ୍ରମାଣିତ ହୋଇଥିବା ସେମାନେ କହିଛନ୍ତି । ଏହି ପ୍ରସଙ୍ଗରେ କେଉଟ ସମ୍ପ୍ରଦାୟର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଭୂମିକାକୁ ନେଇ ମଧ୍ୟ କମିଟି ପ୍ରଶ୍ନ ଉଠାଇଛି । କୈବର୍ତ୍ତ ଏମ୍ପ୍ଲୟିଜ୍ ଫୋରମ୍‌ର ନେତୃତ୍ୱ ନେଇ ସେମାନେ ଜାତୀୟ ଅନୁସୂଚିତ ଜାତି ଆୟୋଗଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛି କମିଟି । ଏଥିସହ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଏବଂ କୈବର୍ତ୍ତ ଏମ୍ପ୍ଲୟିଜ୍ ଫୋରମ୍‌ର କାର୍ଯ୍ୟକାରୀ ସଦସ୍ୟଙ୍କ ବିରୋଧରେ ଚାକିରି ସଂହିତା ଅନୁଯାୟୀ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହାସହ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ କେଉଟ-କୈବର୍ତ୍ତ-ଧୀବର ଜାତିକୁ ଏସ୍‌ସି ତାଲିକାରୁ ବାଦ୍ ଦେବା ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛି କମିଟି । ସାମ୍ବାଦିକ ସମ୍ମିଳନୀରେ ଲକ୍ଷେ ଘର ଗଣ୍ଡା ସମାଜର ଜୟନ୍ତ କୁମ୍ଭାର, ଦିନେଶ ନାଗ, ଦଣ୍ଡୁଆ କୁମ୍ଭାର, ନଟ ନାଗ ଓ ଭୁବନ ସୁନା ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ ।

Leave A Reply

Your email address will not be published.