
ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ସାଇଟ୍ ସ୍କୁଲ ଅଫ୍ ନର୍ସିଂର ପ୍ରଥମ ବର୍ଷ ଜି.ଏନ୍.ଏମ୍. ଛାତ୍ରୀ ଧରିତ୍ରୀ ସେଠ ବାଲ୍ୟବିବାହ ବନ୍ଦ କରିବାରେ ଅଗ୍ରଣୀ ଭୂମିକା ନେଇ ନିଜ ଗ୍ରାମ ବେଲପଡା ଆଖପାଖ ଗ୍ରାମର ୮ଟି ବାଲ୍ୟବିବାହ ବନ୍ଦ କରାଇପାରିଥିଲେ । ତେଣୁ ଓଡିଶା ସରକାରଙ୍କ ତରଫରୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଧରିତ୍ରୀ ସେଠଙ୍କୁ ପୁରସ୍କୃତ କରିଥିଲେ । ଆଜି ସାଇଟ କଲେଜ ତରଫରୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା ଅଧ୍ୟକ୍ଷା ସ୍ନିଗଧାମିନତୀ ଦାନୀ ଓ ପ୍ରତିଷ୍ଠାତା ସମାଜ ସେବୀ ଡ. ଶ୍ରୀକର ମିଶ୍ର କୁମାରୀ ଧରିତ୍ରୀ ସେଠଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ କୁମାରୀ ସେଠ ଗତ ୨ବର୍ଷ ମଧ୍ୟରେ ଆଠଟି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛନ୍ତି ଏବଂ ଏଥିରେ ତାଙ୍କର ମାଆ ଚନ୍ଦ୍ରିକା ସେଠ, ଦିଦି ଭାନୁ ମହାକୁର ତଥା ବେଲପଡା ସି.ଡି.ପି.ଓ ତାଙ୍କୁ ସହଯୋଗ କରିଥିବା କହିଥିଲେ । ନୁନହାଡ୍ ଗ୍ରାମର ଦଶମ ଶ୍ରେଣୀ ପଢୁଥିବା ଜଣେ ଛାତ୍ରୀର ବୟସ ବହୁତ କମ୍ ଥିବାରୁ ସେହି ବିବାହକୁ ମଧ୍ୟ ରୋକିବାରେ ସଫଳ ହୋଇଥିଲେ । ମଝିରେ ମଝିରେ ଚାଇଲଡ୍ ହେଲପ୍ ଲାଇନ ୧୦୯୮ର ସହାୟତା ମଧ୍ୟ ନେଉଥିଲେ । ପୁରସ୍କୃତ ହୋଇ କୁମାରୀ ସେଠ ତାଙ୍କ ଦାୟିତ୍ୱ ଆହୁରି ବଢିଗଲା ବୋଲି ତାଙ୍କ ସହପାଠୀ ମାନଙ୍କୁ କହିଥିଲେ ।