
- ଲିଫ୍ଟର ସୁପରିଚାଳନା, ଇସ୍ପାତ ଟ୍ରେନର ବିଳମ୍ବ ଦୂର ସହ ନୂଆ ଟ୍ରେନ୍ ସଂପ୍ରସାରଣ ଦାବି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଷ୍ଟେସନରେ ଯାତ୍ରୀମାନେ ଭୋଗୁଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ରେଳ ସେବାର ଉନ୍ନତିକୁ ନେଇ ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ଆର୍ଯ୍ୟ ସମାଜ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ବିମଲ ଚକ୍ରବର୍ତ୍ତୀ ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ସଂଘର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ । ବୈଠକରେ ବଲାଙ୍ଗିର ରେଳ ଷ୍ଟେସନରେ ଲିଫ୍ଟର ସୁଚାରୁ ପରିଚାଳନା, ଇସ୍ପାତ ଟ୍ରେନର ନିୟମିତ ବିଳମ୍ବର ସମାଧାନ, ଷ୍ଟେସନ କଲୋନୀରେ ଖାଲି ପଡ଼ିଥିବା ଘରକୁ ସଂଘକୁ ପ୍ରଦାନ ଏବଂ ରେଳ ସମସ୍ୟା ନେଇ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଭେଟି ଦାବି ଜଣାଇବା ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଅମୃତ ଭାରତ ଷ୍ଟେସନ ଭାବେ ଉନ୍ନତିକରଣ ପରେ ମଧ୍ୟ ବଲାଙ୍ଗିର ଷ୍ଟେସନର ଦୁଇ ଓ ତିନି ନମ୍ବର ପ୍ଲାଟଫର୍ମରେ ଶୌଚାଳୟ ନଥିବାରୁ ଯାତ୍ରୀମାନେ ହଇରାଣ ହେଉଥିବା ପ୍ରସଙ୍ଗ ଉଠିଥିଲା । ଏହାଦ୍ୱାରା ବିଶେଷକରି ବରିଷ୍ଠ ନାଗରିକ ଓ ରୋଗୀମାନଙ୍କୁ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯାତାୟାତ କରିବାରେ ଅସୁବିଧା ହେଉଛି । ତେଣୁ ରେଳ ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ବ୍ୟବସ୍ଥା କରିବାକୁ ସଭାପତି ଶ୍ରୀ ମିଶ୍ର ମତ ଦେଇଥିଲେ । ଏଥିସହ ସମ୍ବଲପୁରରେ ଅଟକି ରହୁଥିବା ମହିମା ଗୋସାଇଁ ଓ ସାଲିମା ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦାବି ହୋଇଥିଲା । ସଦସ୍ୟମାନଙ୍କ ଦାବିଗୁଡ଼ିକ ଯୁକ୍ତିଯୁକ୍ତ ଥିବାରୁ ଏନେଇ ଡିଆର୍ଏମ୍ ଓ ଜିଏମ୍ଙ୍କୁ ପତ୍ର ଲେଖିବେ ବୋଲି ସଭାପତି ପ୍ରଫେସର ମିଶ୍ର ପ୍ରକାଶ କରିଥିଲେ । ବୈଠକରେ ଇଂ. କିଶୋର ମୋହନ ମିଶ୍ର, ଗୋପବନ୍ଧୁ ପୁରୋହିତ, ଧର୍ମବ୍ରତ ରଥ, ମନୋରଞ୍ଜନ ପୁରୋହିତ, ପ୍ରଦୀପ କୁମାର ସାହୁ, ବିନୋଦ ପାଣିଗ୍ରାହୀ, ମୋତିଲାଲ ସାହୁ, ଗଣେଶ ପାଢ଼ୀଙ୍କ ସମେତ ପ୍ରଭାକର ମିଶ୍ର, ସୁବ୍ରତ ବହିଦାର, ବିଶ୍ୱନାଥ ତ୍ରିପାଠୀ, ଶତୃଘ୍ନ ସିଂହ, ସଲିମ ଖାନ, ହରେକୃଷ୍ଣ ତ୍ରିପାଠୀ, ତ୍ରିନାଥ ସାହୁ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ସଦସ୍ୟ ଦ୍ୱାରିକା ପଣ୍ଡାଙ୍କ ପକ୍ଷରୁ ପଠାଯାଇଥିବା ବିବରଣୀ ମଧ୍ୟ ସଭାପତି ପାଠ କରିଥିଲେ । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।