
ନିରାକାରପୁର : ଶ୍ରୀକ୍ଷେତ୍ର ପୁରୀକୁ ଯୋଗାଯୋଗର ମୁଖ୍ୟ ରାସ୍ତା ପାଲଟିଥିବା ନୂଆ ଜଗନ୍ନାଥ ସଡ଼କ ଏବେ ଯାତ୍ରୀଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଛି। ନିରାକାରପୁରସ୍ଥିତ ୨୧୯ ନମ୍ବର ରେଳ ଫାଟକରେ ପ୍ରତିଦିନ ଲାଗି ରହୁଛି ଅସମ୍ଭାଳ ଭିଡ଼। ବିଶେଷକରି ଦୀପାବଳି ଅବସରରେ ପୁରୀରେ ବଡ଼ବଡ଼ୁଆ ଟେକିବାକୁ ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ରେ ଫସି ରହିଥିଲେ। ରେଳ ଚଳାଚଳ ଯୋଗୁଁ ପ୍ରତି ୧୦ରୁ ୧୫ ମିନିଟ୍ ଅନ୍ତରରେ ଫାଟକ ବନ୍ଦ ରହୁଥିବାରୁ ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଲାଗୁଛି । ଏପରିକି ଆମ୍ବୁଲାନ୍ସ, ସ୍କୁଲ ଗାଡ଼ି ଓ ପୁଲିସ ଗାଡ଼ି ମଧ୍ୟ ଭିଡ଼ରେ ଫସି ରହୁଛି । ରେଳ ଫାଟକଠାରୁ ପଦ୍ମପୁର ଓ ମାଲୁଣି ପୋଖରୀ ପର୍ଯ୍ୟନ୍ତ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହୁଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ, ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉଦ୍ୟମ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ପୁରୀ ଯାତାୟାତ ପାଇଁ ଏହି ରାସ୍ତା ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏଠାରେ ଓଭରବ୍ରିଜ୍ ନିର୍ମାଣ ଦାବି ଦୀର୍ଘଦିନର। ତେବେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପ୍ରସ୍ତାବିତ ପ୍ରକଳ୍ପ ଅଟକି ରହିଥିବା ଜଣାପଡ଼ିଛି। ଏନେଇ ରେଳ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଆଶ୍ୱାସନା ମିଳୁଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି ପରିସ୍ଥିତିରେ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀଙ୍କ ନିରାପଦ ଗମନାଗମନ ପାଇଁ ତୁରନ୍ତ ଓଭରବ୍ରିଜ୍ ନିର୍ମାଣ କରିବାକୁ ସାମାଜିକକର୍ମୀ ସନ୍ତୋଷ କୁମାର ଦଳେଇ, ସିପିଆଇଏମ୍ ନେତା ବିଧୁ ଭୂଷଣ ମହାରଣାଙ୍କ ସମେତ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ଏବେ ଅପେକ୍ଷା, କେବେ ଏହି ଦୀର୍ଘଦିନର ଦାବି ପୂରଣ ହେବ ଏବଂ ଲୋକଙ୍କୁ ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତି ମିଳିବ ।