
ମୁନିଗୁଡ଼ା, (କେପିଏନ୍ଏସ୍) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା । ବସ୍ଷ୍ଟାଣ୍ଡରୁ ପ୍ରାୟ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ପୁଲିସ । ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ବେଆଇନ ଗଞ୍ଜେଇ ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୁନିଗୁଡ଼ା ପୁଲିସ ବସ୍ଷ୍ଟାଣ୍ଡରେ ନଜର ରଖିଥିଲା । ଏହି ସମୟରେ ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ସହ ଅପେକ୍ଷା କରିଥିବା ଦୁଇ ମହିଳାଙ୍କୁ ଧରିଥିଲା ପୁଲିସ । ଅତିରିକ୍ତ ତହସିଲଦାର ବ୍ରଜଗୋପାଳ ଦାସଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିବା ବେଳେ ଏହାର ପରିମାଣ ପ୍ରାୟ ୨୫ କେଜି ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି । ତେବେ ଏହି ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି । ମୁନିଗୁଡ଼ା ଅଞ୍ଚଳରେ ଟ୍ରେନ୍ ଓ ବସ୍ ଯୋଗେ ଗଞ୍ଜେଇ ଚାଲାଣ ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଛି । ମହିଳାଙ୍କୁ ଚାଲାଣରେ ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏନେଇ ମୁନିଗୁଡ଼ା ଥାନା ଆଇଆଇସି ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି । ଚଢ଼ାଉରେ ସେକେଣ୍ଡ ଅଫିସର ଉର୍ମିଳା ସେଠୀଙ୍କ ସମେତ ପୁଲିସ ଓ ହୋମଗାର୍ଡ କର୍ମଚାରୀ ସାମିଲ ଥିଲେ ।