jayashree

କଟକରେ ଅଟୋ ମିରରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକ ସଦର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା । ଅଟୋର ମିରରରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଜାଭିର ମହମ୍ମଦ । କୁରାଙ୍ଗ ପ୍ରଧାନ ଗାଁର ଇଦ୍‌ଘା ପଡ଼ିଆରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ସକାଳେ ଇଦ୍‌ଘା ପଡ଼ିଆରେ ଏକ ଅଟୋର ମିରରରେ ଜାଭିରଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ସେମାନେ ତୁରନ୍ତ କଟକ ସଦର ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାକୁ ନେଇ ସନ୍ଦେହ ଦେଖାଦେଇଛି । ମୃତ୍ୟୁ ପଛରେ ପୂର୍ବ ଶତ୍ରୁତା ରହିଛି କି, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି । ତେବେ ହତ୍ୟା କରି ମୃତଦେହକୁ ଅଟୋରେ ଝୁଲାଇ ଦିଆଯାଇଥିବା ନେଇ ଉଠୁଥିବା ଆଶଙ୍କାର କୌଣସି ସ୍ପଷ୍ଟ ପ୍ରମାଣ ଏଯାଏଁ ମିଳିନାହିଁ । ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

Leave A Reply

Your email address will not be published.