jayashree

ନକଲି ଓ ଚୋରା ବିଦେଶୀ ମଦ କାରବାର ଉପରେ ଅବକାରୀ ଚଢ଼ାଉ, ୨ ଗିରଫ

ଜଗତସିଂହପୁର : ଜଗତସିଂହପୁରରେ ନକଲି ଓ ଚୋରା ବିଦେଶୀ ମଦ କାରବାର ଉପରେ ଅବକାରୀ ବିଭାଗର ଜୋରଦାର ଚଢ଼ାଉ । ଦୁଇଟି ଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ସହ ମଦ ପ୍ରସ୍ତୁତି ଓ ପ୍ୟାକିଂରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଅବକାରୀ ସ୍କ୍ୱାଡ୍ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ସ୍କ୍ୱାଡ୍ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ ନୂଆଗଡ଼ା ଛକ ନିକଟରେ ପ୍ରଥମ ଚଢ଼ାଉ ହୋଇଥିଲା । ସେଠାରୁ ୯.୯ ଲିଟର ନକଲି ବିଦେଶୀ ମଦ, ୧୫ ଲିଟର ମଦ ସହ ଖାଲି ବୋତଲ ଓ କର୍କ ଜବତ କରାଯାଇଥିଲା । ଏହି ମାମଲାରେ ଅଇନିପୁର ଗ୍ରାମର ମହେଶ୍ୱର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ୱାରେଲସ୍ ଛକ ନିକଟରେ ଅନ୍ୟ ଏକ ଚଢ଼ାଉ କରି ୬.୪୮୦ ଲିଟର ଚୋରା ବିଦେଶୀ ମଦ ଜବତ କରିଥିଲା ବିଭାଗ । ଏହି ଘଟଣାରେ ଅଇନିପୁର ଗ୍ରାମର ପ୍ରଫୁଲ୍ଲ ଦାସଙ୍କୁ ଗିରଫ କରାଯାଇ କୋର୍ଟ ପଠାଯାଇଛି । ଏହି ଚଢ଼ାଉରେ ସବ୍‌ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସ୍‌ଆଇ କ୍ଷୀରୋଦ ସାହୁଙ୍କ ସମେତ ଅବକାରୀ କନେଷ୍ଟବଳ ସୁକାନ୍ତ ମାଝୀ ଓ ବିଶ୍ୱନାଥ ମୁଣ୍ଡା ସାମିଲ ଥିଲେ । ଜିଲ୍ଲାରେ ବେଆଇନ ମଦ କାରବାର ରୋକିବାକୁ ଅବକାରୀ ବିଭାଗର ଏଭଳି ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.