
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଗ୍ରାମରେ ରବିବାର ଠାରୁ ୪୨ତମ ସାର୍ବଜନୀନ କାଳୀପୂଜା ମହାସମାରୋହରେ ଆରମ୍ଭ ହେବ । ଏଥିପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବାବେଳେ ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ପୂଜା ଓ ଉତ୍ସବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି । ପୂଜାର ପ୍ରଥମ ଦିନ ରବିବାର ସକାଳେ ଗ୍ରାମର ମହିଳା, ପୁରୁଷ ଓ ଯୁବକମାନଙ୍କ ଦ୍ୱାରା ଏକ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହେବ । ଶ୍ରଦ୍ଧାଳୁମାନେ ଅଙ୍ଗନଦୀ କୂଳରୁ ପବିତ୍ର ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିବେ । ଏହାପରେ ବିଧିବିଧାନ ଅନୁଯାୟୀ ମା’ କାଳୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ । ଏହି ପୂଜାରେ ଚନ୍ଦ୍ରଭାନୁ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନୀତା ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଳାଇବେ । ମୁଖ୍ୟ ପୂଜକ ପଣ୍ଡିତ ଗୋବର୍ଦ୍ଧନ ଦାସଙ୍କ ଦ୍ୱାରା ପୂଜାବିଧି ସମ୍ପନ୍ନ ହେବ । ତିନିଦିନ ଧରି ମନ୍ତ୍ରପାଠ, ହୋମ ଓ ଆଳତି ଆଦି ଧାର୍ମିକ କାର୍ଯ୍ୟକ୍ରମ ଚାଲିବ । ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପୂଜାର ଶେଷଦିନ ମଙ୍ଗଳବାର ଅପରାହ୍ନ ୪ଟାରୁ ଆକର୍ଷଣୀୟ ରାବଣ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବାକୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ବିଶେଷ ଉତ୍ସୁକତା ଦେଖାଦେଇଛି । ଦୀର୍ଘ ୪୨ ବର୍ଷର ପରମ୍ପରା ବହନ କରୁଥିବା ଏହି କାଳୀପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ପାଲଟିଛି । ପୂଜା ଦେଖିବା ପାଇଁ ବାହାରେ ରହୁଥିବା ଗ୍ରାମବାସୀଙ୍କ ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବମାନେ ଗାଁକୁ ଆସିବା ଆରମ୍ଭ କରିଛନ୍ତି । ଫଳରେ ଗ୍ରାମରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି । ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୂଜା କମିଟି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ଓ ପ୍ରସ୍ତୁତି ଶେଷ କରାଯାଇଥିବା ଜଣାପଡ଼ିଛି ।
ଏମାନେ ଯାହା କହନ୍ତି -:
“ଆଜିଠାରୁ ଗାଁରେ ସାର୍ବଜନୀନ କାଳୀପୂଜା ଆରମ୍ଭ ହେଉଛି । ଏଥିପାଇଁ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭକ୍ତ ଓ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମଧ୍ୟ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।”

- ହେମନ୍ତ ପ୍ରଧାନ, ସଭାପତି, ପୂଜା କମିଟି
“ଆମ ଗାଁରେ ସାର୍ବଜନୀନ କାଳୀପୂଜା ଆରମ୍ଭ ହେବାକୁ ନେଇ ସମଗ୍ର ଗାଁ ଉତ୍ସବମୁଖର ହୋଇଉଠିଛି । ପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭକ୍ତ ଓ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ଅପେରା ଓ ଦଣ୍ଡନୃତ୍ୟ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ରହିଛି । ଏହାକୁ ଗାଁବାସୀଙ୍କ ସମେତ ଅଞ୍ଚଳବାସୀ ଉପଭୋଗ କରିବେ ବୋଲି ଆଶା ରହିଛି ।
- ଆର୍ତ୍ତତ୍ରାଣ ସାହୁ, ଉପଦେଷ୍ଟା, ପୂଜା କମିଟି
“ଆଜିଠାରୁ ଗାଁରେ ସାର୍ବଜନୀନ କାଳୀପୂଜା ଆରମ୍ଭ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ପୂଜା ମଣ୍ଡପର ଆଲୋକସଜ୍ଜା ଓ ଆକର୍ଷଣୀୟ ତୋରଣ ଦର୍ଶକଙ୍କୁ ଆକୃଷ୍ଟ କରିବ । ମଙ୍ଗଳବାର ଦିନ ପୂଜା ସମ୍ପନ୍ନ ହେବା ସହ ଅପରାହ୍ନରେ ରାବଣ ଦରବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ପୂଜାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା ରହିଛି ।”

- ପ୍ରମୋଦ ରାୟ, ଉପଦେଷ୍ଟା, ପୂଜା କମିଟି