jayashree

ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ସୋନାପୁର ବେଳାଭୂମି, ତାରାତାରିଣୀ ମନ୍ଦିର ଓ ହିଞ୍ଜିଳିକୁ ଗଡ଼ିଲା ୨୫ଟି ନୂଆ ବସ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ନଗର ପରିବହନ ବ୍ୟବସ୍ଥାକୁ ଆଧୁନିକକରଣ କରାଯିବ ସାଂଗକୁ ପରିବେଶ ଅନୁକୂଳ କରିବା ନିମିିତ୍ତ ଇଲେକ୍ଟ୍ରିକ ବସ୍ ମାଧ୍ୟମରେ ଯାତାୟତ ସେବା ସୁବିଧା ପାଇଁ ରାଜ୍ୟସରକାରଙ୍କ ପରିବହନ ବିଭାଗ ଧ୍ୟାନ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମାନଙ୍କୁ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉତ୍ତମ ଗମନାଗମନ ସୁବିଧା ଯୋଗାଇବା ଲକ୍ଷ୍ୟରେ ୮ଟି ପ୍ରମୁଖ ରୁଟ୍‌ରେ ଇଲେକ୍ଟ୍ରିକ୍ ବସ୍ ସେବାର ଶନିବାର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୩ଟି ବସ୍ ଚଳାଚଳ କରିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ନିୟୋଜିତ ହେବ ବୋଲି କୁହାଯାଇଛି । ଏହି ନୂଆ ବସ୍ ଚଳାଚଳ ନିମନ୍ତେ ମୋଟ ୨୫ଟି ଇଲେକ୍ଟ୍ରିକ୍ ବସ୍ ଏହି ସବୁ ରୁଟ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ନିମନ୍ତେ ଗମନା ଗମନର ସେବା ଯୋଗାଇଆସିବ ବୋଲି ଜଣାଯାଇଛି । ଏହାଦ୍ୱାରା ପର୍ୟ୍ୟଟନ କ୍ଷେତ୍ରରେ ଏବଂ କେତେକ ଗୁରୁତ୍ତ୍ଵପୂର୍ଣ୍ଣ ଅବଶ୍ୟକ ଦିଗରେ ଗଞ୍ଜାମ ଜିଲ୍ଲାବାସୀ ବିଶେଷ ଉପକୃତ ହେବେ । ସର୍ବମୋଟ ୮ଟି ରୁଟ୍ ଦେଇ ଯାହାକି ଛତ୍ରପୁରରୁ ହିଞ୍ଜିଳିକାଟୁ (ମା’ ଶ୍ୟାମଳାଇ ମନ୍ଦିର) ସହର ୫ଟି, ଚିଲିକା ହ୍ରଦ ଉପକୂଳବର୍ତ୍ତୀ ରମ୍ଭା ନଗରୀକୁ ୪ଟି ଏବଂ ବ୍ରହ୍ମପୁରର ଡୁଡୁମା କଲୋନୀକୁ ୪ଟି ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି । ସେହିପରି ଗୋପାଳପୁରକୁ ଦୁଇଟି ଭିନ୍ନ ରୁଟ୍‌ରେ ୨ଟି ଲେଖାଏଁ ମୋଟ ୪ଟି ବସ୍, ସୋନାପୁର ବେଳାଭୂମିକୁ ୨ଟି, ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିରକୁ ୨ଟି ଏବଂ ରେଗିଡ଼ିସ୍ଥିତ ସମ୍ ହସ୍ପିଟାଲ୍ ରୁଟ୍‌ରେ ୨ଟି ବସ୍ ଯାତାୟାତ କରିବ । ଏହି ରୁଟ୍‌ଗୁଡ଼ିକ ସୁନ୍ଦରପୁର, ଟାଙ୍ଗଣାପଲ୍ଲୀ, ତାରାତାରିଣୀ ଛକ, ଚମାଖଣ୍ଡି, ମାଣ୍ଡିଆପଲ୍ଲୀ, ଗୋପାଳପୁର ଜଙ୍କସନ୍, ବ୍ରହ୍ମପୁର ରେଳ ଷ୍ଟେସନ୍, ରଣ୍ଢା ଓ ନିଷ୍ଟ-ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ପ୍ରମୁଖ ସ୍ଥାନକୁ ସଂଯୋଗ କରିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ପରିବେଶ ଅନୁକୂଳ ଇଲେକ୍ଟ୍ରିକ୍ ବସ୍ ଚଳାଚଳ ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଗର ପରିବହନ ବ୍ୟବସ୍ଥାକୁ ଏକ ନୂତନ ଦିଗ ଉପରେ ଆଲୋକପାତ କରିବ । ଛାତ୍ରଛାତ୍ରୀ, କର୍ମଜୀବୀ, ବ୍ୟବସାୟୀ, ମହିଳା, ବରିଷ୍ଠ ନାଗରିକ ଓ ସାଧାରଣ ଯାତ୍ରୀମାନେ ସୁରକ୍ଷିତ, ସୁଲଭ, ସମୟାନୁବର୍ତ୍ତୀ ଏବଂ ଆରାମଦାୟକ ଗଣପରିବହନ ସେବା ପାଇପାରିବେ । ଏହା କେବଳ ଯାତାୟାତକୁ ସୁଗମ କରିବ ନାହିଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ମଧ୍ୟ ଗତିଶୀଳ କରିବ । ଗୋପାଳପୁର ଓ ସୋନାପୁର ବେଳାଭୂମି, ମା’ ଶ୍ୟାମଳାଇ ମନ୍ଦିର ଏବଂ ମା’ ତାରାତାରିଣୀ ପୀଠକୁ ଉନ୍ନତ ଗମନାଗମନ ସୁବିଧା ମିଳିବା ଫଳରେ ପର୍ଯ୍ୟଟନ ସହ ସ୍ଥାନୀୟ ବାଣିଜ୍ୟ ଓ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ନୂତନ ଗତି ମିଳିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଛତ୍ରପୁର ପୌର ଅଧ୍ୟକ୍ଷ ଜି. ପାପା ରାଓ, ବରିଷ୍ଠ ସମାଜସେବୀ ସରୋଜ ସାବତ, ଗଞ୍ଜାମ ଆର୍‌ଟିଓ ଦେବାଶିଷ ସ୍ୱାଇଁ, ଛତ୍ରପୁର ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, କାଉନସିଲରମାନଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଛତ୍ରପୁର କ୍ରୁଟ୍ ମ୍ୟାନେଜର ଶିବ ପ୍ରସାଦ ରାଓ ଏବଂ ବ୍ରହ୍ମପୁର କ୍ରୁଟ୍ ମ୍ୟାନେଜର ଅକ୍ଷୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.