
- ପରମ୍ପରା ଓ ଐତିହ୍ୟ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଦେବାଳୟ ସୁରକ୍ଷା କମିଟି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ପରିସରରେ କାଳୀପୂଜା ଆୟୋଜନକୁ ନେଇ ଦେଖାଦେଇଥିବା ବିବାଦରେ ଲାଗିଛି ପ୍ରଶାସନିକ ରୋକ୍ । ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିସରରେ ମାଟିର ଅସ୍ଥାୟୀ କାଳୀ ପ୍ରତିମୂର୍ତ୍ତି ସ୍ଥାପନ ଓ ପୂଜା ଆୟୋଜନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସୂଚନା ଅନୁସାରେ, ପାଟଣେଶ୍ୱରୀ ଦେବୀଙ୍କୁ ପ୍ରାଚୀନ ପାଟଣା ରାଜଶାସନ ସମୟରୁ ଦକ୍ଷିଣେଶ୍ୱରୀ କାଳୀ ରୂପେ ପୂଜା କରାଯାଇଆସୁଛି । ତେବେ ପୂର୍ବବର୍ଷ କିଛି ଭକ୍ତ ମନ୍ଦିର ପରିସରରେ ମାଟିର କାଳୀ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରିଥିବାରୁ ଏହାକୁ ନେଇ ଭକ୍ତ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ମନ୍ଦିରର ପାରମ୍ପରିକ ପୂଜାବିଧି, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦାବିରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲା । ଏହାପରେ ଦେବୋତ୍ତର ବିଭାଗର ଚିଠି ନମ୍ବର ୮୭/୨୦୨୬, ତାରିଖ ୫ ନଭେମ୍ବର ଅନୁଯାୟୀ ଯଜ୍ଞ ମଣ୍ଡପରେ ଅସ୍ଥାୟୀ କାଳୀ ପ୍ରତିମୂର୍ତ୍ତି ସ୍ଥାପନ ଓ ପୂଜା ଆୟୋଜନ ଉପରେ ରୋକ୍ ଲଗାଯାଇଛି । ଏନେଇ କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସମ୍ପାଦକ ପ୍ରଶାନ୍ତ ମହାକୁର, ଶମ୍ଭୁ ପ୍ରସାଦ ଶତପଥୀ ଓ ରିଣ୍ଟୁ ସାହୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ମନ୍ଦିରର ପରମ୍ପରା ଓ ଐତିହ୍ୟ ଅକ୍ଷୁଣ୍ଣ ରଖିବା ଦିଗରେ ପ୍ରଶାସନର ଏହି ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।