
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ବନ୍ଧୁକଧାରୀ ଯୁବକଙ୍କ ବେଧଡ଼କ ଗଞ୍ଜେଇ କାରବାର । ହାତରେ ବନ୍ଧୁକ ଧରି ଚଳାଇଥିଲେ ଗଞ୍ଜେଇ ବେପାର । ଗୁପ୍ତ ସୂଚନା ପାଇ ଚଢ଼ାଉ କଲା ବଲାଙ୍ଗିର ଟାଉନ୍ ଥାନା ପୋଲିସ । ଚଢ଼ାଉ ବେଳେ ୨୧ କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ବଲାଙ୍ଗିର ନୂଆ ବସଷ୍ଟାଣ୍ଡ ପଛପଟ ରାଜୀବ ନଗର ଅଞ୍ଚଳରେ ଚାଲିଥିଲା ଗଞ୍ଜେଇ କାରବାର । ଖବର ପାଇ ଟାଉନ୍ ଥାନା ପୋଲିସ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୨୧ କେଜି ୫୦୦ ଗ୍ରାମ ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ମୋବାଇଲ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜିତେନ୍ଦ୍ର ସାହୁ ଓ ମୌସମ ତ୍ରିପାଠୀ । ଉଭୟଙ୍କ ନାଁରେ ପୂର୍ବରୁ ମଧ୍ୟ ଏନ୍ଡିପିଏସ୍ ମାମଲା ରହିଛି । ଗଞ୍ଜେଇ ଓ ବନ୍ଧୁକ କେଉଁଠୁ ଆସିଲା, ତାହାର ଖୋଳତାଡ଼ କରୁଛି ବଲାଙ୍ଗିର ଟାଉନ ପୋଲିସ ।