
ବଲାଙ୍ଗିର, (କେପିଏନ୍ଏସ୍) : ଦିନ ଦ୍ୱିପ୍ରହରରେ ଘରେ ପଶି ମହିଳାଙ୍କୁ ବାଥରୁମ୍ରେ ବନ୍ଦ କରି ଲୁଟ୍ । ଲୁଟ୍ ଘଟଣାରେ ରହିଛି ଘର ଭିତରର ଲୋକଙ୍କ ହାତ । ସୋଲାର ପ୍ୟାନେଲ୍ ଲଗାଇବା ବାହାନାରେ ଯୋଜନାବଦ୍ଧ ଭାବେ ଲୁଟ୍ କରିଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ଥାନା ପୋଲିସ । ବଲାଙ୍ଗିର ପଥରଚେପା ସୀତାରାମ ନଗରରେ ଅକ୍ଟୋବର ୩୦ ତାରିଖରେ ଘଟିଥିଲା ଏହି ଲୁଟ୍ । ଘରେ ଭଡ଼ାରେ ରହୁଥିବା ଚିତ୍ତରଞ୍ଜନ ଧରୁଆ ହିଁ ଲୁଟ୍ର ମାଷ୍ଟରମାଇଣ୍ଡ ବୋଲି ପୋଲିସ ସୂଚନା ଦେଇଛି । ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଘରକୁ ଯିବାର ସୁଯୋଗ ସମ୍ପର୍କରେ ସେ ଅନ୍ୟ ଅଭିଯୁକ୍ତଙ୍କୁ ଖବର ଦେଇଥିଲା । ଏହାପରେ ସେମାନେ ଘରେ ପଶି ମହିଳାଙ୍କୁ ବାଥରୁମ୍ରେ ବନ୍ଦ କରି ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ଫେରାର ହୋଇଥିଲେ । ଏହି ଘଟଣାରେ ଶକ୍ତିମାନ ମାଝୀ, ପ୍ରକାଶ ମାଝୀ, ଚିତ୍ତରଞ୍ଜନ ଧରୁଆ ଓ ଅଭି କୁମ୍ଭାରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ସୁନା, ରୁପା ଅଳଙ୍କାର, ଦୁଇଟି ବାଇକ୍ ଓ ୩ଟି ମୋବାଇଲ୍ ଜବତ ହୋଇଛି । ଯାହାକୁ ନେଇ ଆଜି ସଦର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଡ଼ ଖୁଲାସା କରିଛନ୍ତି ସଦର ଏସଡିପିଓ ସରୋଜ ଉପାଧ୍ୟାୟ।