jayashree

ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

  • “ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ହୋଇଥାଏ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡ଼ିଶା’ ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ଶିକ୍ଷା କେବଳ ପାଠ୍ୟ ପୁସ୍ତକ ମଧ୍ୟରେ ସୀମିତ ନୁହେଁ । ଗୀତ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା, କୁଇଜ, ନାଟକ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳାପ ମାଧ୍ୟମରେ ପିଲାମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ସୁଶ୍ରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଜିଲ୍ଲାର ୧୪ଗୋଟି ବ୍ଲକରୁ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟାରେ ଗାଇଡ଼ ଶିକ୍ଷକ ଓ ଗାଇଡ଼ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରବନ୍ଧ, ସୁନ୍ଦର ହସ୍ତାକ୍ଷର, ତର୍କ, ଚିତ୍ରାଙ୍କନ, କୁଇଜ୍‌, ବକ୍ତୃତା, ପିଏମ୍‌ ପୋଷଣ ଚିତ୍ରକଳା, ଶିଳ୍ପକଳା, ସଙ୍ଗୀତ ଓ ଦଳଗତ ସାଂସ୍କୃତିକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗନେଇ ନିଜର ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଯୋଗଦେଇ ନିଜ ବକ୍ତବ୍ୟରେ ଭଲ ମଣିଷ ହେବା ପାଇଁ ଜ୍ଞାନ ସହିତ ଶୃଙ୍ଖଳା, ସୃଜନଶୀଳତା, ନୈତିକତା, ସହଯୋଗ ଓ ନେତୃତ୍ୱ ଗୁଣର ଆବଶ୍ୟକତା ରହିଛି । ଏହି ସବୁ ଗୁଣର ବିକାଶ ପାଇଁ ସୁରଭି ଏକ ଉପଯୁକ୍ତ ମଞ୍ଚ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରତ୍ୟେକ ଶିଶୁର ପ୍ରତିଭାକୁ ଚି଼ହ୍ନଟ କରି ତାକୁ ଉପଯୁକ୍ତ ସୁଯୋଗ ଓ ମାର୍ଗଦର୍ଶନ ଦେଲେ ପ୍ରତ୍ୟେକ ଶିଶୁ ନିଜର ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇବେ ବୋଲି କହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଅଳକା ଦାଶ ଓ ଶୈଳେନ୍ଦ୍ରି ପରିଡା କରିଥିବା ବେଳେ ପ୍ରଧାନ ଶିକ୍ଷକ ନବଘନ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମର ପ୍ରତ୍ୟେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ସହ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.