
- କ୍ରିଷ୍ଣା ମେହେର ଯିବେ ଜାତୀୟ ସ୍ତରକୁ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ସିଣ୍ଢୋଲ ଠାରେ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏଥିରେ କ୍ରୀଷ୍ଣା ମେହେର ସ୍ୱର୍ଣ୍ଣ ପଦକ, ଅଭିପ୍ସା ସାହୁ ରୌପ୍ୟ, ସରିତା ନାଏକ ଓ ମଧୁସ୍ମିତା ମିଶ୍ର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ନିଜ ଚେମ୍ବରରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ସମସ୍ତ ଛାତ୍ରଛାତ୍ରୀ ଗତ ଗୋଟିଏ ମାସ ଧରି ରେଲୱେ ଷ୍ଟେସନ ଛକ ସ୍ଥିତ ଟାଇକଣ୍ଡୋ ସ୍କୁଲରେ ସୁନାମଧନ୍ୟ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ବିନାମୂଲ୍ୟରେ ଉଚ୍ଚ କୋଟିର ଟାଇକଣ୍ଡୋ ପ୍ରଶିକ୍ଷଣ ନେଉଥିଲେ । ଆସନ୍ତା ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ହରିବଂଶ ତନାଭଗତ ଇନ୍ଡୋର ଷ୍ଟାଡିୟମ ଠାରେ ଏସ୍ଜିଏଫ୍ଆଇ ହାୟର ସେକେଣ୍ଡରୀ ଜାତୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବଲାଙ୍ଗିର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱର୍ଣ୍ଣ ପଦକ ବିଜେତା କ୍ରିଷ୍ଣା ମେହେର ଓଡିଶା ଦଳରୁ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରରେ ଭାଗ ନେବେ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ଜିଲ୍ଲାପାଳ କ୍ରିଷ୍ଣାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସରକାରୀ କଲେଜମାନଙ୍କରେ ବର୍ଷତମାମ ଏହି ଟାଇକଣ୍ଡୋ ଖେଳକୁ ପ୍ରଶିକ୍ଷଣ ଦେଲେ ଛାତ୍ର ଛାତ୍ରୀମାନେ ଏଥିରେ ଅଧିକ ସୁଯୋଗ ପାଇବା ସଙ୍ଗେ ଲାଭବାନ ହୋଇପାରିବେ ବୋଲି ଜିଲ୍ଲା ଟାଇକଣ୍ଡୋ ସଂଘ ସଂପାଦକ ଅସିମ ଭୋଇ ମତପ୍ରକାଶ କରିଛନ୍ତି ।