
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଲୋକର ପର୍ବ ଦୀପାବଳି ଆସିଲେ ଚାରିଆଡ଼େ ଦେଖିବାକୁ ମିଳେ ଆଲୋକର ରଙ୍ଗୀନ ସମ୍ଭାର । ସହର ଠାରୁ ଗାଁ ବଜାର ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକ ମାଳାର ଚାହିଦା ବଢ଼ୁଥିବା ବେଳେ ଅନ୍ୟପଟେ ନିଜ ପୂର୍ବପୁରୁଷଙ୍କ କୌଳିକ ବୃତ୍ତିକୁ ଜାବୁଡ଼ି ଧରି ମାଟିର ଦୀପ ଗଢ଼ିବାରେ ବ୍ୟସ୍ତ କୁମ୍ଭକାର ପରିବାର । କୁମ୍ଭାର ଚକର ଘୂର୍ଣ୍ଣନ ସହ ମାଟିରୁ ଜନ୍ମ ନେଉଛି ଶହ ଶହ ଦୀପ । ହେଲେ ଆଧୁନିକ ଆଲୋକର ଚାକଚକ୍ୟ ଭିତରେ ମାଟି ଦୀପର ପାରମ୍ପରିକ ମହକ ଆଜି କେଉଁଠି ହଜିଯିବାକୁ ବସିଛି, ତାହାକୁ ନେଇ ଚିନ୍ତାରେ କୁମ୍ଭକାର ପରିବାର । ଦୀପାବଳିକୁ ଆଖି ଆଗରେ ରଖି ଏହି ପରିବାରର ପୁରୁଷ, ମହିଳା ଓ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଦୀପ ତିଆରି କାମରେ ଲାଗି ପଡ଼ିଛନ୍ତି । କିଏ ମାଟିକୁ ଚକଟି ଦୀପ ପାଇଁ ପ୍ରସ୍ତୁତ କରୁଛି ତ ଆଉ କିଏ କୁମ୍ଭାର ଚକରେ ଦୀପର ଆକାର ଦେଉଛି । ଅନ୍ୟ କେହି ତିଆରି ଦୀପକୁ ଶୁଖାଇବା ସହ ରଙ୍ଗ ଦେଇ ଆକର୍ଷଣୀୟ କରିବାରେ ବ୍ୟସ୍ତ । ଛୋଟରୁ ବଡ଼, ସାଧାରଣ ଦୀପଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନ୍ର ରଙ୍ଗୀନ ଦୀପ ପର୍ଯ୍ୟନ୍ତ ୧ ଟଙ୍କାରୁ ୫୦ ଟଙ୍କା ମୂଲ୍ୟରେ ପ୍ରସ୍ତୁତ କରାଯାଉଛି । ଅଧିକ ଦୀପ ତିଆରି କଲେ ଅଧିକ ରୋଜଗାର ହେବ, ଏହି ଆଶା ନେଇ ଦିନରାତି ପରିଶ୍ରମ କରୁଛନ୍ତି ପରିବାର ସଦସ୍ୟ । ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଜିଲ୍ଲାର ବ୍ୟବସାୟୀମାନେ ମଧ୍ୟ ଏଠାକୁ ଆସି ଦୀପ କିଣିବା ସହ ପୂର୍ବରୁ ଅର୍ଡର ଦେଉଛନ୍ତି । ଦୀପାବଳି ସମୟରେ ଏହି ବ୍ୟବସାୟରୁ ଯାହା ଦୁଇ ପଇସା ରୋଜଗାର ହୁଏ, ସେଥିରେ ପରିବାରର ଅନେକ ଆବଶ୍ୟକତା ପୂରଣ ହୋଇଥାଏ । କିନ୍ତୁ ଏହି ହସ୍ତଶିଳ୍ପ ପଛରେ ରହିଛି ଅନେକ ଅକୁହା ଯନ୍ତ୍ରଣା । ଦିନକୁ ଦିନ କୁମ୍ଭକାରଙ୍କ ପାଇଁ ଆବଶ୍ୟକ ମଟାଳ ମାଟିର ଅଭାବ ଦେଖାଦେଉଛି । କଞ୍ଚାମାଲ ଯୋଗାଡ଼ କରିବାଠାରୁ ଆରମ୍ଭ କରି ଦୀପ ତିଆରି ଓ ବିକ୍ରି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସମସ୍ୟା ରହିଛି । ଦିନତମାମ୍ କଠିନ ପରିଶ୍ରମ କରି ମଧ୍ୟ ଉଚିତ ପାରିଶ୍ରମିକ ମିଳୁନାହିଁ । ଫଳରେ ଅନେକ କୁମ୍ଭକାର ପରିବାର ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି ପାରମ୍ପରିକ ବୃତ୍ତିରୁ ମୁହଁ ଫେରାଇ ଅନ୍ୟ ଜୀବିକା ଆପଣାଇବାକୁ ବାଧ୍ୟ ହେଉଛନ୍ତି । ଏହା ସହିତ ଗତ କିଛି ବର୍ଷ ଧରି ବଜାରରେ ଶସ୍ତା ବିଦ୍ୟୁତ୍ ଆଲୋକ ଓ ଚାଇନା ସାମଗ୍ରୀର ପ୍ରଭାବରେ ପାରମ୍ପରିକ ମାଟି ଦୀପର ବିକ୍ରି ମଧ୍ୟ ପ୍ରଭାବିତ ହୋଇଥିବା କୁମ୍ଭକାର ମାନେ କହୁଛନ୍ତି । ତେବେ ଚାଇନା ନିର୍ମିତ ଦୀପ ଓ ଆଲୋକ ସାମଗ୍ରୀ ଉପରେ କଟକଣା ଲାଗିଥିବା ଖବର ପରେ ଏବେ ମାଟି ଦୀପର ଚାହିଦା ପୁଣି ବଢ଼ିବ ବୋଲି ସେମାନଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି । ଅବଶ୍ୟ ଏହି ଆଶା କେତେଦୂର ବାସ୍ତବ ରୂପ ନେବ, ତାହା ଦୀପାବଳି ବଜାରର ବିକ୍ରି ହିଁ କହିବ । ଅନ୍ୟ ସମୟରେ ଏହି ପରିବାର ଗୁଡ଼ିକ ହାଣ୍ଡି, କୁଡ଼ୁଆ, ମାଠିଆ ଓ ବିଭିନ୍ନ ମାଟି ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରନ୍ତି । ତେଣୁ ମାଟିର ଦୀପ କେବଳ ଏକ ସାମଗ୍ରୀ ନୁହେଁ, ଏହା ସେମାନଙ୍କ ପରିଚୟ, ପୂର୍ବପୁରୁଷଙ୍କ ପରମ୍ପରା ଓ ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ । ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ କୁମ୍ଭକାର ପରିବାରଙ୍କୁ ସହଜରେ ମାଟି ଯୋଗାଣ, ଆର୍ଥିକ ସହାୟତା, ଆଧୁନିକ ଯନ୍ତ୍ରପାତି ଓ ବଜାର ସୁବିଧା ଯୋଗାଇ ଦେବାକୁ ସେମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ପ୍ରଶ୍ନ ଉଠୁଛି, ଯେଉଁ ମାଟି ଦୀପର ଆଲୋକରେ ଦୀପାବଳିର ପରମ୍ପରା ଆରମ୍ଭ ହୋଇଥିଲା, ଆଜି ସେହି ମାଟି ଦୀପ ଆଧୁନିକ ଆଲୋକ ଭିତରେ ନିଜର ସ୍ଥାନ ହରାଇବ କି ? ଚାକଚକ୍ୟପୂର୍ଣ୍ଣ ଆଲୋକ ଭିତରେ ମାଟିର ମହକ ମଳିନ ପଡ଼ିଯିବ ନା ଆମ ପରମ୍ପରା ପୁଣି ନୂଆ ଆଲୋକରେ ଝଲସିବ ? ଏହା କେବଳ କୁମ୍ଭକାରଙ୍କ ଜୀବିକାର ପ୍ରଶ୍ନ ନୁହେଁ, ଆମ ସଂସ୍କୃତି ଓ ପରମ୍ପରାର ସୁରକ୍ଷାର ପ୍ରଶ୍ନ ମଧ୍ୟ । ମାଟି ଦୀପ କିଣିବା ଓ ଏହି କାରିଗରଙ୍କୁ ପ୍ରୋତ୍ସାହନ ଦେବାରେ ସମାଜର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମାଟି ଦୀପ ଜଳିଲେ କେବଳ ଘର ଆଲୋକିତ ହୁଏ ନାହିଁ, ଆଲୋକିତ ହୁଏ ଗୋଟିଏ କୁମ୍ଭକାର ପରିବାରର ଜୀବନ ଓ ବଞ୍ଚି ରହେ ଆମ ପରମ୍ପରା ।