
- ଅବସରକାଳୀନ ପ୍ରାପ୍ୟ ଓ ପେନସନ ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନସନ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟର ତ୍ୱରିତ ସମାଧାନ ନିମନ୍ତେ ଆସନ୍ତା ନଭେମ୍ବର ୪ ତାରିଖ ଦିନ ବୌଦ୍ଧଠାରେ ଏକ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହେବ । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ଅଦାଲତ ଅନୁଷ୍ଠିତ ହେବ । ଏହି ଅଦାଲତରେ ସୁବର୍ଣ୍ଣପୁର ଜିଲ୍ଲାର ପେନସନ ସମ୍ବନ୍ଧୀୟ ଦୀର୍ଘଦିନର ବିଚାରାଧୀନ ମାମଲା, ଅବସରକାଳୀନ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଏବଂ ଅନ୍ୟାନ୍ୟ ପେନସନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ଏଥିସହ ଅବସର ଦିନ ହିଁ ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ । ଏହି ପେନସନ ଅଦାଲତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଅଧ୍ୟକ୍ଷତା କରିବେ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ପେନସନ ଅନୁମୋଦନକାରୀ କର୍ତ୍ତୃପକ୍ଷ (ପିସିଏ) ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେବେ । ପେନସନ ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ପେନସନ ଅନୁମୋଦନକାରୀ କର୍ତ୍ତୃପକ୍ଷଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଯେଉଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ପେନସନ କିମ୍ବା ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ବକେୟା ରହିଛି, ସେମାନେ ଆବଶ୍ୟକ କାଗଜପତ୍ର ସହ ନଭେମ୍ବର ୪ ତାରିଖ ଅପରାହ୍ନ ୨.୩୦ ରୁ ୫.୩୦ ମଧ୍ୟରେ ବୌଦ୍ଧଠାରେ ଅନୁଷ୍ଠିତ ପେନସନ ଅଦାଲତରେ ଉପସ୍ଥିତ ରହି ନିଜର ଅଭିଯୋଗ ଜଣାଇପାରିବେ । ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପେନସନ ଦାବିଦାରଙ୍କୁ ଅନୁରୋଧ କରାଯାଇଛି ।