
- ୭୫୦ ଟଙ୍କା ମାସିକ ପାରିଶ୍ରମିକରୁ ୧୪,୫୦୦ ଟଙ୍କାରେ ପହଞ୍ଚିଲା ଦରମା
- ନିୟମିତ ହୋଇପାରିଲାନି ଚାକିରି; ଭବିଷ୍ୟତକୁ ନେଇ ଚିନ୍ତାରେ ପରିବାର
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଦୀର୍ଘ ୩୦ ବର୍ଷ ଧରି ଶିକ୍ଷାନୁଷ୍ଠାନରେ ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ପରେ ଶେଷରେ ଅବସର ଗ୍ରହଣ କଲେ । ହେଲେ ଦୀର୍ଘ ତିନି ଦଶନ୍ଧିର ସେବା ପରେ ମଧ୍ୟ ଚାକିରି ନିୟମିତ ହୋଇପାରିଲା ନାହିଁ କି ମିଳିଲାନି ସେହି ଅନୁଯାୟୀ ସରକାରୀ ସୁବିଧା। ଏଭଳି ଏକ ଦୁଃଖଦ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀରାମ ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟରୁ । ସୂଚନା ଅନୁସାରେ, ଶ୍ରୀରାମ ଆଶ୍ରମ ବିଦ୍ୟାଳୟରେ କୁକ୍ ତଥା ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ସଦାନନ୍ଦ ବେହେରା ଅବସର ଗ୍ରହଣ କରିଛନ୍ତି । ସେ ୧୯୯୬ ମସିହାରେ ଏହି ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଚାକିରି ଜୀବନର ଆରମ୍ଭରେ ତାଙ୍କୁ ମାସିକ ମାତ୍ର ୭୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା । ସମୟ ବିତିବା ସହ ପାରିଶ୍ରମିକ ବୃଦ୍ଧି ପାଇ ବର୍ତ୍ତମାନ ମାସିକ ୧୪ ହଜାର ୫୦୦ ଟଙ୍କାରେ ପହଞ୍ଚିଥିଲା । ଏହି ସ୍ୱଳ୍ପ ପାରିଶ୍ରମିକରେ ସେ ନିଜ ପରିବାରର ଭରଣପୋଷଣ କରିବା ସହ ବିଦ୍ୟାଳୟର ଦାୟିତ୍ୱ ତୁଲାଇ ଆସୁଥିଲେ । ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସିଥିଲେ ମଧ୍ୟ ତାଙ୍କ ଚାକିରିକୁ ନିୟମିତ କରାଯାଇନଥିବା ଅଭିଯୋଗ ହୋଇଛି । ଏହି ବର୍ଗର କର୍ମଚାରୀଙ୍କ ଚାକିରି ନିୟମିତ କରିବା ଏବଂ ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ରାଜ୍ୟ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ, ଦାବି ଓ ପ୍ରତିବାଦ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏବେ ଅବସର ପରେ ତାଙ୍କ ପରିବାରର ଭବିଷ୍ୟତ କିପରି ଚାଲିବ, ତାହାକୁ ନେଇ ସଦାନନ୍ଦ ବେହେରା ଓ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି । ଦୀର୍ଘ ୩୦ ବର୍ଷ ଧରି ସେବା କରିବା ପରେ ମଧ୍ୟ ଯଦି ଜଣେ କର୍ମଚାରୀଙ୍କୁ ଅବସର ସମୟରେ ଆର୍ଥିକ ସୁରକ୍ଷା ଓ ଉପଯୁକ୍ତ ସୁବିଧା ମିଳିନଥାଏ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଅନ୍ୟପକ୍ଷରେ, ଏଭଳି କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ଶିକ୍ଷାନୁଷ୍ଠାନରେ ନିଜର ସମୟ ଓ ଶ୍ରମ ଦେଇ ଆସୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ସୁରକ୍ଷା ପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଉନଥିବା ପ୍ରଶ୍ନ ଉଠିଛି । କେବଳ ଦରମା ବୃଦ୍ଧି ନୁହେଁ, ବରଂ ଦୀର୍ଘ ସେବାର ଉଚିତ୍ ମୂଲ୍ୟାୟନ ଓ ଅବସର ପରବର୍ତ୍ତୀ ଜୀବନରେ ଆର୍ଥିକ ସହାୟତା ମଧ୍ୟ ଜଣେ କର୍ମଚାରୀଙ୍କ ନ୍ୟାଯ୍ୟ ଆଶା । ତେଣୁ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ବିଚାର କରି ସଦାନନ୍ଦ ବେହେରାଙ୍କ ଦୀର୍ଘ ୩୦ ବର୍ଷର ସେବାକାଳକୁ ଉଚିତ୍ ମୂଲ୍ୟାୟନ କରିବା ସହ ତାଙ୍କୁ ନିୟମାନୁଯାୟୀ ମିଳିବାକୁ ଥିବା ଅବସରକାଳୀନ ଆର୍ଥିକ ସୁବିଧା ଓ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଶ୍ରୀରାମ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଦୀର୍ଘ ବର୍ଷର ସେବା ପରେ ଜଣେ କର୍ମଚାରୀଙ୍କୁ ଅବହେଳିତ ଅବସ୍ଥାରେ ଅବସର ନେବାକୁ ପଡ଼ିବା ଉଚିତ୍ ନୁହେଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି ।