jayashree

ସୁନ୍ଦରଗଡ଼ ଶିଳ୍ପାଞ୍ଚଳ ଶ୍ରମିକ ସଭାର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

  • ଶ୍ରମିକଙ୍କ ହକ୍ ଓ ଅଧିକାର ପାଇଁ ଏକଜୁଟ ହେବାକୁ ଆହ୍ୱାନ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ୨୪ତମ ପ୍ରତିଷ୍ଠା ଦିବସ ରବିବାର ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ରାଉରକେଲାର ବିଶ୍ରା ରୋଡସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଆୟୋଜିତ ଏହି ସମାରୋହରେ ସଂଗଠନର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଏହା ସହ ଉପସ୍ଥିତ ଶ୍ରମିକ ଭାଇଭଉଣୀମାନଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଶ୍ରମିକମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ହିନ୍ଦ ମଜଦୁର ସଭାର ପତାକା ତଳେ ଏକଜୁଟ ହେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ରାଉରକେଲାରେ ଇଏସଆଇସି ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ ଏବଂ ରାଉରକେଲା ଇସ୍ପାତ କାରଖାନାରେ ସ୍ଥାୟୀ କାମରେ ନିୟୋଜିତ ଠିକା ଶ୍ରମିକଙ୍କ ଦରମାରୁ ଅର୍ଥ ଫେରସ୍ତ ନେବା, ଗେଟ୍ ପାସ୍ ବନ୍ଦ କରିବା ଓ କାମରୁ ବାହାର କରିଦେବା ଭଳି ଅଭିଯୋଗ ଗୁରୁତର । ଏପରିକି କାର୍ଯ୍ୟାଦେଶ ଶେଷ ହେବା ପରେ ଫୁଲ୍ ଆଣ୍ଡ ଫାଇନାଲ୍ ବିଲ୍‌ରୁ ୪୦ ପ୍ରତିଶତ ଅର୍ଥ ଫେରାଇବାକୁ ଚାପ ପକାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ସେହିପରି ରେଳବାଇରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ଅତ୍ୟନ୍ତ କମ୍ ଦରମା ପ୍ରଦାନ ଏବଂ ଇପିଏଫ୍ ଓ ଇଏସଆଇ ଜମା ନକରିବା ଭଳି ସମସ୍ୟା ବିରୋଧରେ ମଧ୍ୟ ଶ୍ରମିକମାନେ ସଂଗଠିତ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ଚକ୍ରାନ୍ତ ଜେନା, ଜଗବନ୍ଧୁ ଜେନା, ଅରକ୍ଷିତ ସାହାଣୀ, ବିଜୟ ନାୟକ, ହାରଦୁଗଣ ବରଲା, ସଲମାନ ଲାକ୍ରା, ମନୋଜ ମୁଖୀ, ସୀତାରାମ ପତି, ବିଜୟ ସ୍ୱାଇଁ, ପାନସୌରୀ ମୁଖୀ, ନରେନ୍ଦ୍ର ବାଗ, ପି.କେ. ଧଳ, କ୍ରିଷ୍ଣା କୁମାରଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ । ଶେଷରେ ଚକ୍ରାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.